Unknown

 

 

 

 

 

 

 

 

 

ଅଦ୍ଭୁତ ପରିଣାମ

ପଣ୍ଡିତ ମୃତ୍ୟୁଞ୍ଜୟ ରଥ

 

ସୂଚୀପତ୍ର

 

୧.

ପ୍ରଥମ ପରିଚ୍ଛେଦ

୨.

ଦ୍ୱିତୀୟ ପରିଚ୍ଛେଦ

୩.

ତୃତୀୟ ପରିଚ୍ଛେଦ

୪.

ଚତୁର୍ଥ ପରିଚ୍ଛେଦ

୫.

ପଞ୍ଚମ ପରିଚ୍ଛେଦ

୬.

ଷଷ୍ଠ ପରିଚ୍ଛେଦ

୭.

ସପ୍ତମ ପରିଚ୍ଛେଦ

୮.

ଅଷ୍ଟମ ପରିଚ୍ଛେଦ

୯.

ନବମ ପରିଚ୍ଛେଦ

୧୦.

ଦଶମ ପରିଚ୍ଛେଦ

୧୧.

ଏକାଦଶ ପରିଚ୍ଛେଦ

୧୨.

ଦ୍ୱାଦଶ ପରିଚ୍ଛେଦ

୧୩.

ତ୍ରୟୋଦଶ ପରିଚ୍ଛେଦ

 

•••

 

ପ୍ରଥମ ପରିଚ୍ଛେଦ

ବାଲୁବଜାର ଛକ-ପାଦ୍ରି ସାହେବ

 

ଆଜକୁ ଅନ୍ଦାଜ ପଚିଶ ବର୍ଷ ତଳର କଥା - ଦିନେ ବେଳ ବୁଡ଼ିବାକୁ ଘଡ଼ିଏ ଖଣ୍ତେ ଅଛି, ଛକଟାରେ ଭାରି ଚହଳ ପଡ଼ିଛି । ମଣ୍ତଳାକାରରେ କେତେଗୁଡ଼ିଏ ଲୋକ ସାପୁଆ କେଳାକୁ ଘେରିଥିଲା ପରି ଠିଆ ହୋଇଛନ୍ତି । ଜଣକେତେ ମଧ୍ୟ ବସିପଡ଼ିଛନ୍ତି - କେହି କେହି ବି ଦୋକାନ ପଟାରେ ଅଣ୍ଟାଭରା ଦେଇ ରହିଯାଇଛନ୍ତି । ଥୋକାଏ ଦୋକାନରେ ସଉଦାକିଣା ଛାଡ଼ି ଏକଆଖିଆ ହୋଇ କଣ ଦେଖୁଛନ୍ତି । ମଧ୍ୟେ ମଧ୍ୟେ ଅଶ୍ୱଶକଟର ଘର୍ଘର ଶବ୍ଦ ସଙ୍ଗେ ସାରଥିର ହେଇଓ-ହେଇଓ ବିକଟ ଚିତ୍କାର ଶୁଣି ସେ ଦଳରୁ ଜଣକେତେ ଏଣେତେଣେ ପୃଷ୍ଠଭଙ୍ଗ ଦେଉଛନ୍ତି । ବେଳେବେଳେ କାହାକୁ ମଧ୍ୟ ଧକ୍କା ଉପହାର ଦେଇ ପେଲିଦେବାକୁ ହେଉଅଛି । ଏଥି ଭିତରେ ଗୋଟିଏ ଦିଓଟି କୁକୁର ମଧ୍ୟ ଉଚ୍ଚସ୍ୱରରେ ବୀରରସର ବକ୍ତୃତା କରି ପ୍ରହାର ପୁରସ୍କାର ସହ ଚାଲିଯାଉଅଛନ୍ତି । ଅଧିକାଂଶ ଲୋକଗୁଡ଼ାକ କଳାମୁଣ୍ତିଆ; ଅଶିକ୍ଷିତ ଅଧା-ପାଠୁଆ ଆଉ ମଫସଲିଆ । ମଝିରେ ଗୋଟିଏ ଧଳାପୋଷାକ ସେହି ଧୂଳିମିଶା ମଳୀମସ ପୋଷାକଗୁଡ଼ାକ ମଧ୍ୟରେ ‘ବକ ମଧ୍ୟେ ହଂସ ପ୍ରାୟ’ ଦିଶୁଅଛି । ଖଣ୍ତେ ଖଣ୍ତେ କମିଜ ଗଳାଇ ଦୁଇ ଚାରି ଚଷମାଧାରୀ ସେହିଠାରେ ଉପହାସବ୍ୟଞ୍ଜକ ସ୍ମିତ ମୁଖଟା ମହିଷବତ୍‌ ଉପରକୁ ଟେକି ଟିକିଏ ସେ ଆଡ଼କୁ ଟିକିଏ ପୁଣି ବନ୍ଧୁ ଆଡ଼କୁ ଚାହିଁ ସ୍ମିତବିକାଶରେ କେତେ କଣ ସଙ୍କେତ କରୁଅଛନ୍ତି । ପାଖକୁ ଆସି ଦେଖାଗଲା, ଖଡ଼ିଶୈଳର ଗୋଟିଏ ଋଜୁଶିଳା ପରି - ଅଥବା ଶଙ୍ଖମଲମଲ ପଥରର ଗୋଟିଏ ଉଭାମୂର୍ତ୍ତି ପରି ଜଣେ ଗୌରାଙ୍ଗ ବା ଧବଳାଙ୍ଗ ପୁରୁଷ ଦଣ୍ତାୟମାନ । ଧବଳପୋଷାକ ଉପରେ କୃଷ୍ଣାଭ ଲମ୍ବ ଶ୍ମଶ୍ରୁ ବଡ଼ ମାନୁଛି । କବିଙ୍କ ଭାଷାରେ କୈଳାସଶୃଙ୍ଗରେ ଖଣ୍ତେ କଳାମେଘ ଲାଗିଯାଇଥିଲା ପରି ଦିଶୁଅଛି । ସାହେବ ଧୀର ଗମ୍ଭୀର ଭାବରେ ଉଭା - ଉଭୟ ପାର୍ଶ୍ୱରେ ଦୁଇ ଜଣ କୃଷ୍ଣାଙ୍ଗ ଏକ ରେଖାରେ ଦଣ୍ଡାୟମାନ l ନାସିକା ତଳେ ପଟାଏ ପଟାଏ ଛଟା ନିଶ - ପାଦରେ ଯୋଡ଼ାଏ ଚକଘଷା କାନବିସ ଯୋତା । କଟିଦେଶରେ ଖଣ୍ଡେ ଖଣ୍ତେ ବାଇଶିଶ ଏକାଶୀ ନମ୍ବରର ଗୋଷ୍ଟମାର୍କ ଧୋତି ଘେର ଖାଇଛି । ଦେହରେ ଜଣକର କାଲରଲଗା ଖଣ୍ତିଏ କମିଜ - ଆର ଜଣକର ମାଟିଆ ରଙ୍ଗର ଦଫାଦାରୀ କୋଟ । ତିନିଙ୍କ ହାତରେ ତିନି ଖଣ୍ତି ବହି ମେଲା ହୋଇ ରହିଅଛି ଏବଂ ସେଥିରୁ ବକ୍ତୃତାର ପୂର୍ବରଙ୍ଗସ୍ୱରୂପ ଭକ୍ତିସଙ୍ଗୀତ ବୋଲା ଯାଉଅଛି । ସାହେବଙ୍କର କଟକଟାୟିତ ଗୀତସ୍ୱରକୁ ସେ ଦୁଇଜଣ ଯାକ ପାଲାରେ ପାଳିଆ ଗାୟକର ସ୍ୱରକୁ ଛଡ଼ାଇନେଲା ପରି ସଙ୍ଗେ ସଙ୍ଗେ ସାହେବଙ୍କ ତୁଣ୍ତରୁ ଛଡ଼ାଇନେଇ ସମସ୍ୱରରେ ଗାଉଅଛନ୍ତି । ଆମ୍ଭେମାନେ ଗଲାବେଳକୁ ଗୀତ ପ୍ରାୟ ସରିଆସିଥିଲା । ଭାଗ୍ୟକୁ ଯେଉଁ ପଦକ ଶୁଣାଗଲା, ତାହା ଶେଷ ପଦ, କି (ଘୋଷା) ଧ୍ରୁବପଦ, କହି ପାରିବୁଁ ନାହିଁ - ତେବେ ସାହେବ ତାଙ୍କର କପିଳ ଡୋଳା ଯୋଡ଼ିକ ଉପରକୁ ଖୋଷିଦେଇ ଭାବନାସ୍ତିମିତ ନେତ୍ରରେ ଏତିକି ଗାଉଥିଲେ ଶୁଣିଅଛୁଁ ।

ସେ ଯିଶୁ ପ୍ରାଣପଟି ଡିଅଣ୍ଟି ଶାଣ୍ଟି

ଟାଙ୍କୁ ସମର୍ପ ଡେହପ୍ରାଣ କାଣ୍ଟି ।

ଏହି ପଦକ ପରେ ଘୋଷା-

ନାହିଁ ନାହିଁ ଅନ୍ୟ ଗଟି

ମନ କର ଯୀଶୁଖ୍ରୀଷ୍ଟର ସଙ୍ଗେ ପ୍ରୀଟି ।

ପାଳିଆ ଦୁହେଁ ଏହାକୁ ଅନ୍ୟପ୍ରକାରେ, ଅନ୍ୟପ୍ରକାରେ ଅର୍ଥାତ୍‌ ସ୍ୱାଭାବିକ ସ୍ୱରରେ ବୋଲିସାରିଲା ପରେ ସାହେବ ବହି ମୁଦିଦେଇ ପାଖବାଲାଙ୍କ ହାତକୁ ବଢ଼ାଇଦେଇ ବକ୍ତୃତା ଆରମ୍ଭ କଲେ- ‘ଭାଇମାନେ, ଆମ୍ଭେ ସାଟ୍‌ସମୁଡ୍ର ପାର ହୋଇ ଆସିଅଛି । ଟୁମ୍ବମାନଙ୍କ ନିମଣ୍ଟେ - ଯେ ଲୋକ ପାପୀ ଅଛଣ୍ଟି, ଟାଙ୍କୁ ପରିଠ୍ରାଣର ବାଟ କହିଡେବାକୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ପାପିମାନଙ୍କ ପରିଟ୍ରାଣ ନିମଣ୍ଟେ ଏ ଜଗଟକୁ ଅବଟାର ହୋଇ ଆସିଥି(ଠି)ଲେ । ସମଷ୍ଟଙ୍କୁ ଉଡ୍‌ଢାର କରି ସେ ସ୍ୱର୍ଗକୁ ଯାଇଚ୍ଛଣ୍ଟି । ସେ ଯାହା ପରିଟ୍ରାଣର ବାଟ କହିଛଣ୍ଟି - ଟାହା ମୁଁ ମାନେ କହୁଅଛି - ଟୁମ୍ବେ ମନ ଡେଇ ଶୁଣ ।

 

(ହଠାତ୍‌ ଗୋଳମାଳ ଭିତରୁ ପ୍ରଶ୍ନ ଉଠିଲା, ପ୍ରଭୁ ଯିଶୁ କିଏ ?) ଆମ୍ବେ ଯାହା କହୁଛି ଆଗେ ଶୁଣ - ଗୋଲମାଲ କର ନାହିଁ । (ପୁନର୍ବାର ସେହି ପ୍ରଶ୍ନ) ଖଣ୍‌କହୁଛ- ପ୍ରଭୁ ଯୀଶୁ ଖିଏ ? ଟେବେ ଆମ୍ବେ ଯାହା କହୁଛି ଶୁଣ । ପ୍ରଭୁ ଯୀଶୁ ଈଶ୍ୱରଙ୍କର ପୁଟ୍ର, ପାପିମାନଙ୍କୁ ପରିଟ୍ରାଣ କରିବାପାଇଁ ଏ ଜଗଟକୁ ଆସିଥିଲେ । (ଜଣେ ସ୍କୁଲ ପିଲା ସେ ବକ୍ତୃତାଟି ମନ ଦେଇ ଶୁଣୁଥିଲା, ସେ ଏହିଠାରେ ହଠାତ୍‌ ପଚାରିଲା)‘‘ଆଚ୍ଛା, ତାଙ୍କର କଣ ମାତା ଅଛନ୍ତି ?’’

 

ସାହେବ-      ହଁ, ଅଛଣ୍ଟି - ଟାଙ୍କ ନାମ ମେରୀ ।

ପିଲା- ଆଚ୍ଛା, ଆପଣ ତ ସେ ଦିନ ତକ୍ତୃତାରେ କହିଥିଲେ, ଈଶ୍ୱରଙ୍କର ରୂପ ନାହିଁ, କି ତାହାଙ୍କୁ କେହି ଦେଖି ନାହିଁ । ତାଙ୍କର ପୁଣି ମେରୀଙ୍କ ଗର୍ଭରୁ କିପରି ପୁତ୍ର ଜାତ ହେଲା ? ଆଚ୍ଛା, ଆଉ ଗୋଟିଏ କଥା - ସେ ସିନା ଈଶ୍ୱରଙ୍କର ପୁତ୍ର, ଆମ୍ଭର ଶ୍ରୀକୃଷ୍ଣ ତ ସ୍ୱୟଂ ଈଶ୍ୱର ଥିଲେ ।

 

ସା- ନା, ଟା ହୋଇ ପାରଇ ନାହିଁ । ସେ ଜନେ ସାମାନ୍ୟ ଲୋକ ଥିଲେ । ଟାଙ୍କର ଚରିଟ୍ର ମଧ୍ୟ ଭଲ ନ ଠିଲା । ସେ ମନୁଷ୍ୟ; ଡେବଟା କେବେ ନୁହନ୍ତି !

(ହଠାତ୍‌ ଜଣେ ବାହାରିପଡ଼ି ଉଚ୍ଚସ୍ୱରରେ କହିଲା, କଣ, ଆମ୍ଭ ଜଗନ୍ନାଥେ ଈଶ୍ୱର ନୁହନ୍ତି ?

ସା- ଗୋଲମାଲ କର ନାହିଁ । ଶୁଣ, ଜଗର୍ଣ୍ଣାଠଙ୍କୁ ଟୁମେ ହିଣ୍ତୁମାନେ ପୂଜା କରଣ୍ଟି । ସେ ଏ ଡେଶର ନାଠ ହେବେ - ସେ ଭାରତ(ଟ)ର ନାଠ କେବେ ନୁହଣ୍ଟି । ଆଉ ସେ ଡେବଟା ନୁହଣ୍ଟି - ସେ କାଠ -

 

ପି- ତେବେ ଈଶ୍ୱର କିଏ, ଆଉ ସେ କେଉଁଠି ଥାନ୍ତି ?

ସା- ଈଶ୍ୱର ସମଷ୍ଟଙ୍କର ପିତା - ସବୁଙ୍କୁ ଖାଇବାକୁ ପିଣ୍ଢିବାକୁ କାର୍ଯ୍ୟ କରିବାକୁ ବୁଡ୍‌ଢି ଡେଉଛଣ୍ଟି, ସେ ସ୍ୱର୍ଗରେ ଥାଣ୍ଟି । ପାପିମାନେ ଟାଙ୍କୁ ଡେଖି ପାରଣ୍ଟି ନାହିଁ । ମନୁଷ୍ୟ ପରିଟ୍ରାଣ ପାଇଲେ ସେଠାକୁ ଯାଇ ଡେଖି ପାରିବେ ।

 

ପି - ଆଚ୍ଛା, ଆପଣ ଈଶ୍ୱରଙ୍କୁ ଦେଖିଛନ୍ତି ?

ସା- (କ୍ଷଣେ ଚିନ୍ତା ଅଭିନୟରେ) ହଁ, ଆମ୍ବେ ଡେଖିଛୁଁ । (ପିଲାର ଆଗ୍ରହ ଦେଖି) ଟୁମେ ଆମ୍ବ କୋଠିକୁ ଗଲେ ସବୁ ବଟାଇ ଡେବୁଁ । ଡୁବନ ନେଲେ ସବୁ ଆପେ ଜାନି ପାରିବ । ଆମ୍ବ କୋଠିକୁ ଗଲେ ଆମ୍ବର ସ୍ତ୍ରୀ, କନ୍ୟା ଅଛଣ୍ଟି - ସେମାନେ ଟୁମ୍ବଙ୍କୁ ଆଡର କରି ବସାଇବେ, ଖାଇବାକୁ ମଢ୍ୟ ଡେବେ ।

 

ପି- ସାହେବ, ଆମେ ତ ଆପଣଙ୍କ ହାତରେ ଖାଇବୁ ନାହିଁ, ଆମ ଜାତି ଯିବ ।

ସା- ସେଠିରେ କି ଡୋଷ ଅଛି ? ସେମାନେ ସଫା କରିଡେବେ ।(ଉତ୍ତରରେ -‘ନା’) ଆଚ୍ଛା, ଟେବେ ଟୁମ୍ବ ଜାଟିର ଏକ ଲୋକ ଆମ୍ବ ପାଖରେ ଅଛି, ସେ ସବୁ ସଫା କରଇ, ଟା ହାତରେ ଖାଇବ ।

ପି- ନା-ନା, ସେ ଛୁଇଁଲେ ଆମେ ଖାଇବୁଁ ନାହିଁ ।

ସା- ଆଚ୍ଛା- ସେ ଛୁଇଁବ ନାହିଁ ।

ପି- ସେ ଅତି ହୀନ ଜାତି- ସେ ଚଣ୍ତାଳ । ଆମ୍ଭେମାନେ ତା ହାତରେ କେବେ ଖାଇବୁଁ ନାହିଁ ।

 

ସାହେବ ଏ ଜାତିର ରହସ୍ୟ ବୁଝି ନପାରି କ୍ଷଣକାଳ ଅବାକ୍‌ ହୋଇ ନିର୍ବାତ ନିସ୍ପନ୍ଦ ହ୍ରଦ ପରି ରହିଗଲେ । ଏଣେ ଅନ୍ଧକାର ଘୋଟିଯିବାରୁ ଲୋକେ ମହାକୋଳାହଳ କରି ଯେ ଯାହା ସ୍ଥାନକୁ ପଳାଇବାକୁ ଲାଗିଲେ । ଚାହୁଁ ଚାହୁଁ ସେ ସ୍ଥାନ ନିର୍ମକ୍ଷିକ ହୋଇଗଲା । ପିଲାଟି ପ୍ରତି ସାହେବଙ୍କର ଘନ ଘନ ସ୍ନେହଦୃଷ୍ଟି ପଡ଼ୁଥିବାର ଦେଖି - ବାହୁଡ଼ିବାବେଳେ ଜଣେ କୃଷ୍ଣାଙ୍ଗ ସାହେବଙ୍କ ତୁଷ୍ଟିସାଧନ ଲାଗି ତାହା କାନରେ କଣ ଗୁଡ଼ାଏ ଗୁଣୁ ଗୁଣୁ କରି କହିଦେଲେ । ଆମ୍ଭେମାନେ ଅତି କଷ୍ଟରେ ଚେଷ୍ଟା କରି ଶୁଣିପାରିଲୁଁ -‘‘କୋଠିକୁ ଗଲେ ବେନ୍ ମାମା ବଡ଼ ପ୍ରେମ କରିବେ । ତାଙ୍କ ପରି କାହାରି ଦୟା ନାହିଁ । ରୋଗ କି ଅଭାବ ହେଲେ ସେ ସବୁ ବିଷୟରେ ସହାୟତା କରନ୍ତି ।’’ କଥାଟାରୁ ଅନୁମାନରେ ଜଣାଗଲା, ସେ ସାହେବଙ୍କର ନାମ ବୋଧହୁଏ ରେଭରଣ୍ତ ବେନ୍‌(Rev: Bain) ହେବ ।

 

ଦ୍ୱିତୀୟ ପରିଚ୍ଛେଦ

ଶୀତଳପୁର ଗ୍ରାମ

 

ଦୟା ନଦୀ କୂଳରେ ଖୋରଧା ଅଞ୍ଚଳରେ ଶୀତଳପୁର ବୋଲି ଗୋଟିଏ ମଧ୍ୟଭଳି ଗାଁ ଅଛି । ଏ ଗାଁଟାରେ ଲଗାଏତ ଘର ନାହିଁ । ସବୁ ବୁଦିବୁଦିକା, ଆଗେ ବନ୍ଧ ମୂଳକୁ ଗୋଟାଏ ଧୋବା ଘର । ଗାଁ ପରିମଳ ଏହିଆଡ଼ୁ ଆଗେ ଜଣାପଡ଼େ । ଖଣ୍ତେ ଦୂରରେ ଗୋଟିଏ ଦିଓଟା କେଉଟ ଘର ଅଛି । ସବୁବେଳେ ଚୁଡ଼ା ଭାଡ଼ି ପଡ଼ିଅଛି । ଢେଙ୍କିର କେଙ୍କାର ଶବ୍ଦରେ ବନ୍ଧ ବାଟୋଇଙ୍କ କାନ ବହିରା ପଡ଼ିଯାଏ । ସବୁ ଜାତି ଭିତରେ ଏ ଜାତିଟା ବଡ଼ କାମିକା । ଗୋଟାଏ ଦିଓଟା ମର୍ଦ୍ଦନାମା ପିଣ୍ତାରେ ବସି ଜାଲ ମରାମତି ବା ନୂଆ ଜାଲ ବୁଣାରେ କୁଟକାଟ କରୁଛନ୍ତି । ବାଟରେ ଚାଲିଗଲେ ମଧ୍ୟ ତାଙ୍କର ଏହି କାମ - ରାତିରେ ମାଛକୁ ବାହାରିଲେ ତ ୟାଙ୍କର ସାରାରାତି ଶୋଇବାକୁ ଆଶା ନାହିଁ, କି ଶୀତ ବରଷାକୁ ପରୁଆ ନାହିଁ କି ଜନ୍ତୁଜୁନ୍ତା ଭୂତ ପ୍ରେତଙ୍କୁ ଡର ନାହିଁ । ଏଣେ ପୁଣି ରାତି ପହରେ ଥାଉଁ ବେହେରାଣୀ ଚେତାଳ ହୋଇ ଚୁଡ଼ା ପାହାର ପକାଏ । ୟାଙ୍କ ଦିହକୁ ଟିକିଏ ଅଳସ ଛୁଇଁ ନାହିଁ । ଏମାନେ ପରା ଜାହାଜ ବେପାରୀ ଥିଲେ - ଆଗେ କେଉଁଠି ଏହି ଜାତିରୁ ପଞ୍ଚାଏ ଦୂରକୁ ଯାଇ ଗୋଟାଏ ମୂଲକ ଦଖଲ କରି ପକାଇଥିଲେ । ଏବେ ସେ ସବୁ କୁଆଡ଼େ ଲିଭିଗଲାଣି - ତେବେକେ କେଉଟ କେବେ ମାଗି ଖାଇବାର ଦେଖାଯାଏ ନାହିଁ । ଏବେ ମାଛ ଶୁଖୁଆ ବେପାରରେ କି ଭୁଜାଭୁଜି କାରବାରରେ କେଉଟୁଣୀର ଦଉଡ଼ କମ୍ ନୁହେଁ । ତେଣୁ କେଉଟ ସାହିଟା ଆଖିରେ ପଡ଼ି କେତେ ଆଶା ଉତ୍ସାହର କଥା ମନକୁ ଆସେ । ଅଳ୍ପ ଛଡ଼ାରେ ଗୋଟିଏ ଗଉଡ଼ ଘର । ଘର ଚାରି ପାଖରେ ବନ୍ଧ ଉପରେ ବେହେରାଣୀ ବସି କେତେବେଳେ ଘଷି ପାରୁଥାଏ । ବେଳେ ବେଳେ ଦୁଧ ଠେକିଟାଏ ବା ଦହି ହାଣ୍ତିଟାଏ ଘେନି ଗାଁ ଭିତରେ ବୁଲି ଆସେ । କେବେ ମଧ୍ୟ ବାଡ଼ି ଖଣ୍ତିଏ ଧରି ବେହେରାକୁ ଖଲାସ କରିବାପାଇଁ ଗୋଠକୁ ଯାଏ । ବେହେରା ସବୁବେଳେ ପ୍ରାୟ ଚରା ବୁଲାରେ ଥିବାରୁ ଘରେ ବେହେରାଣୀ ମାଲିକ । ଦହି ଦୁଧ ଘିଅର ପଇସାତକ ସବୁ ତାହାରି ହାତପୈଠ ହୁଏ । ପୁଣ୍ୟ ପର୍ବ କି ନିମିତ୍ତ ପଡ଼ିଲେ ସମସ୍ତେ ଦିନେ ଦି’ ଦିନ ଆଗରୁ ବେହେରାଣୀ ପିଛା ଧରନ୍ତି । ରାଣୀଙ୍କୁ ନ ପଚାରି ବେହେରାଏ କେଉଁଠି ଜବାବ ଦେବାକୁ ଭରସି ପାରନ୍ତି ନାହିଁ ।

 

ଏ ଗାଁଟାରେ ଚଷା ଘର ବହୁତ । ଗାଁ ସେମୁଣ୍ତରେ ଗୋଟିଏ ପତିତପାବନ ମନ୍ଦିର । ସଞ୍ଜବଳିତା ଲାଗିଲେ ଏଠାରେ ଗାଁବାଲାଙ୍କର ବୈଠକ ହୁଏ । ଗାଁର ନ୍ୟାୟ ନିଶାପ ପଡ଼େ । ନିତି ଅଧ୍ୟାୟେ ଭାଗବତ ବୋଲାଯାଏ, ଆଉ ଟିକିଏ ଟିକିଏ ଚରଣ-ତୁଳସୀ ମିଳେ । ଏହି ମନ୍ଦିର ଖଣ୍ତିକ ଗ୍ରାମର ବହୁତ କାମରେ ଆସେ । ଆଜିକାଲିକା ସଭ୍ୟ ଜଗତର ଚର୍ଚ୍ଚ କହ - ଟାଉନ୍‌ହଲ୍‌ କହ - ବା ଟାଉନ୍‌ଲାଇବ୍ରେରୀ କହ, ସବୁ ଏହି ଠାଆକରେ ଅଛି । ଦେଉଳର ସେବା ନିତି ବୁଝିବାପାଇଁ ଘରେ ଦି’ଘର ଦେଉଳିଆ ପଣ୍ତା ବି ଏଠାରେ ଚାଳି ବାନ୍ଧି ପଡ଼ିଛନ୍ତି । ବେଳେ ବେଳେ ପଣ୍ତାଏ ଧନ୍ଦାରେ ବାହାରିଗଲେ ପଣ୍ତିଆଣୀ ଦିଅଁଙ୍କ ସେବା ପୂଜା ଚଳାଇ ନିଅନ୍ତି ।

 

ଚଷା ସାହିର ପଛପଟକୁ ଚାରି ପାଞ୍ଚ ଘର ତନ୍ତୀ ଅଛନ୍ତି । ଏହିମାନଙ୍କ ଯୋଗେ ବେଳେ ବେଳେ ଲଙ୍କାରେ ହରି ଶବ୍ଦ ଶୁଣାଯାଏ । ଜଣାଯାଏ, ତାଙ୍କରି ଯୋଗେ ପତିତପାବନଙ୍କ ମନ୍ଦିରଟି ଏ ଗାଁରେ ଅଛି । ମଉଛବ ହେଲେ ଅବା ଗାଁରେ କିଛି ଗୋଳମାଳ ଲାଗିଲେ ଏମାନେ ଖୋଳ ଝାଞ୍ଜ ପିଟି ଖୁବ ନାମ ସଂକୀର୍ତ୍ତନ କରନ୍ତି । ତାଙ୍କଠୁଁ ଦେଖି ଏବେ ଚଷାଏ ମଧ୍ୟ ଖଞ୍ଜଣିମାଡ଼ କରି ଭଜନ ଗାଇଲେଣି । ଏ ଦୁଇ ଜାତି ଦୁହିଙ୍କ ପାଇଁ ବନ୍ଧା । ଚଷା କପା ଚାଷ କରି ଯାହା ହାତପୈଠ କରେ, ସେଥିରେ ତାର ଦାଣ୍ତ ଖରଚ ବେଶ ଚଳେ । ଚାଷୁଣୀ ପୁଣି ଦିନ ରାତି ଲାଗି ସୂତା କାଟି ତାହା ତନ୍ତୀ ଘରକୁ ଦିଏ । ତନ୍ତୀ ସେଥିରେ ବର୍ଷକ ଦରକାରମାଫିକେ ଗାମୁଛା, ଖଦି, ଚାଦର, ମାଠମାନ ବୁଣିଦେଇ ଚଷାକୁ ଭେଟାଏ । ଆଉ ତାହାଠାରୁ ଧାନ ଆଣି ବରଷକ ଚଳେ । ଏବେ ସେ ଚାଷ ଉଠିଯିବାକୁ ବସିବାରୁ ଦୁଇ ଜାତି କରଜଦାମ କରି ବଡ଼ ଦୁଃଖରେ ଚଳୁଛନ୍ତି । କେତେ ତନ୍ତିଘର ବି ଛିଡ଼ି ଗଲେଣି ।

 

ଏହିପରି କରି କେହି ଗାଁରୁ ବେଶି ବାହାରକୁ ଯାନ୍ତି ନାହିଁ । ଗାଁକଥାମାନ ଗାଁରେ ପ୍ରାୟ ଚଳିଯାଏ । କଳିଗୋଳ ହେଲେ ସେହି ଗାଁର ଜଣେ ପୁରୁଣା ମୁଖିଆ ଲୋକ ବସି ରାମାୟଣ ମହାଭାରତର କଥାମାନ ନଜୀର ଥୋଇ ଭାଗବତରୁ ପଦେ ଅଧେ ଉପଦେଶ ଦେଇ ସବୁ ନିଷ୍ପତ୍ତି କରିଦିଏ । କିଛି ତଣ୍ତ ପଡ଼ିଲେ ଠାକୁରଙ୍କ ଖରଚକୁ ଆସେ । ଠାକୁରଙ୍କ ନାଁରେ ଏଇଟା ହେଲା ଗାଁର କୋଠ ଜମା ।

 

ବୁଝି ବସିଲେ ଏଗୁଡ଼ିକ ଓକିଲ ମୁକ୍ତିଆରଙ୍କର ବଡ଼ ଶତ୍ରୁ । ସେମାନେ ଯେ ଏତେ ଟଙ୍କା ଉଡ଼ାଇ ଶଗଡ଼େ ଶଗଡ଼େ ବହି ପଢ଼ି ପାସ୍‌କଲେ, ଏମାନେ ଏପରି କଲେ ସେମାନେ ଆଉ କଣ କରିବେ ! ସେ ଯାହାହେଉ ହରି ସ୍ୱାଇଁ ଏ ଗାଁ ଭିତରେ ଜଣେ ପୁରୁଣା ମାମଲତ୍‌କାର । ତାହାର କିଛି ଚାଷ ବାସ ଅଛି । ବରଷକ ଖରଚ ବେଶ୍ ଚଳେ । ଘରେ ଚାରି ପ୍ରାଣୀ । ପୁଅ ମାଇପଙ୍କୁ ଛାଡ଼ିଦେଲେ ଆଉ ଗୋଟିଏ ଚାକିରିଆ ଟୋକା । ଦାଣ୍ତ ଦୁଆରେ ଦି’ଚାରି ଖଣ୍ତ ପଥର ତା ଉପରକୁ ତା ଉପର ପଡ଼ି ଟିକିଏ ଉଚ୍ଚ ପାହାଚ ହୋଇଛି । ଦୁଇ ପାଖରେ ଗୋଟାକେତେ ଭଙ୍ଗା ଦରଭଙ୍ଗା ଲଙ୍ଗଳ ଡେରା ହୋଇଛି । ଦାଣ୍ତ ଘରଟା ଗୁହାଳ । ହଡ଼ା ତିନୋଟି ପଘାରେ ବନ୍ଧା । ଦୁଇ ହଳକୁ ଗୋଟାଏ ବଳଦ ଊଣା ହୁଏ ବୋଲି ଦିନେ ଛଡ଼ା ଦିନେ ଗୋଟିଏ ବଦଳି ଆଣି କାମ ଚଳାଇନିଏ । ଗୁହାଳର ଗୋଟିଏ ପାଖ କାନ୍ଥକୁ ଲାଗି ଗୋଟିଏ ଉଞ୍ଚ ପିଣ୍ତୀ ଅଛି । କେହି ବ୍ରାହ୍ମଣ ବା ବୈଷ୍ଣବ ଆସିଲେ ଏହି ଗୁହାଳ ଘରେ ଚାଉଳ ପୁଞ୍ଜାଏ ଫୁଟାଇ ଦେଇ ପିଣ୍ତୀ ଉପରେ ପଡ଼ିଯାନ୍ତି । ଘର ଭିତରେ ପିଣ୍ତା ଭାଡ଼ି ସବୁଥିରେ ଗୋଟାକେତେ ଓଳିଆ - ଆଉ କେତେଗୁଡ଼ିଏ ପୁଡ଼ା ଅଛି । କୋଡ଼ି, କାଙ୍କ, ଶାବଳ, ଦା, କଟୁରୀ, ବେତା, ଟୋକେଇ, ନନ୍ଦିଆ, ଗରା, ଥାଳି, କଂସା ଆଉ ଜୁଣ-ବେରୁଁଆ, ଶପର ମସିଣା ଆଦି ଘରକରଣା ଜିନିଷପାତି ତ କେତେ ଅଛି । ବାଡ଼ିପଟରେ ଗୋଟିଏ ଛୋଟ ପାଳଗଦା । ପଧାନ ଘରଣୀ ଆଉ ଆଉ ପଧାନ ଝିଅଙ୍କ ପରି ଦେଢ଼ ବିଶାର ପିତଳ ବାହି ଖଡୁ କି ବିଧାଏ ବହଳର ଶାଢ଼ୀପିନ୍ଧି ନାହାନ୍ତି । ଏହାଙ୍କର ଅଳଙ୍କାର ଓ ଲୁଗାପିନ୍ଧା ଆଉ ସମସ୍ତଙ୍କଠାରୁ ଟିକିଏ ଛାଡ଼ିଯିବ । ଆଉ ଅଧିକ କହି କଣ ହେବ - ତାଙ୍କ ନାକରେ ମୟୂରବସା ଗୁଣା, ଗୋଡ଼ରେ ରୁପାର ପାହୁଡ଼ ରହିଲାଣି । ଦକ୍ଷିଣୀ ସରୁ କୁମ୍ଭ ଶାଢ଼ୀ ନିତି ପହରଣ ହେଉଛି । ଆଗେ କିଛି ନଥିଲା - ବଡ଼ ଦୁଃଖର ଘର ଥିଲା । ହରି ସ୍ୱାଇଁ ପାରିଲା ଦିନୁଁ ଏ ସବୁ ସମ୍ପତ୍ତି ମାଡ଼ିଗଲା । ସ୍ୱାଇଁ କିଛିଦିନ ପିଆଦାଗିରି କରି ବହୁତ ପଇସା ଛାଣିଆଣିଥିଲେ । ଏକୁଟିଆ ହେବାରୁ ପଛକୁ ଘର ଅଚଳ ହେବାର ଦେଖି ଦୁଇ ବର୍ଷ ହେଲା ଚାକିରି ଛାଡ଼ିଦେଇ ଘରେ ବସିଛନ୍ତି ।

 

ପୁଅ ବୋଲି ଗୋଟିଏ । ବାପ ମା’ଙ୍କର ବଡ଼ ଗେହ୍ଲା - ବାଛି ବାଛି ନାଁ ଦେଇଛନ୍ତି ‘ମହନ’, ସାଧୁଭାଷାରେ ମୋହନ । ହରି ସହରରେ ଥିଲାବେଳେ ତାଙ୍କୁ ସଙ୍ଗରେ ରଖି ପଢ଼ାଉଥିଲେ । ଏବେ ତାଙ୍କୁ ପନ୍ଦର ଯାଇଁ ଷୋଳ ପଶିଛି । ଏବେ ସେଠାରୁ ଆସି କଟକ ହାଇ ସ୍କୁଲରେ ପଢ଼ୁଛି । ସ୍ୱାଇଁ ବିନା ଦରମାରେ ପୁଅର ପଢ଼ିବା ବନ୍ଦୋବସ୍ତ କରି ଦେଇ ଯାଇଛନ୍ତି । ସେ ପୁଅକୁ ଗୋଟିଏ ଚିହ୍ନା ଡେପୁଟୀଙ୍କ କୋଠି ଦେଖାଇ ଦେଇଛନ୍ତି । ବେଳେ ବେଳେ ସେଠାକୁ ଯାଇ ଦୁଃଖ ଓଜର କଲେ, ସେ ସବୁ ହାଲ ଶୁଣିବେ । ଯେତେହେଲେ ହରି ଆଉ ଘରେ ଥୟ ହୋଇ ରହି ପାରନ୍ତି ନାହିଁ । ପ୍ରତିଦିନ ମହନା ମା କାନ୍ଦି କାନ୍ଦି ତାଙ୍କୁ ପୁଅକୁ ଦେଖିଆସିବାପାଇଁ ତଡ଼ୁଥାଏ । ତେଣୁ ହରି ସାତ ଆଠ ଦିନରେ ଥରେ ଆସି ସବୁ ହାଲ ହକିକତ ବୁଝି ଚାଲିଯାଏ ।

 

ପ୍ରିୟ ପାଠକେ ! ବେଶି କହିବୁଁ ନାହିଁ । ଅକାରଣେ ପୋଥି ବଢ଼ିଯିବ । ଏ ପିଲାକୁ ଆପଣମାନେ ଆଗରୁ ଚିହ୍ନିଛନ୍ତି । ଏହି ପିଲାଟି ସେଦିନ ପାଦ୍ରୀ ସାହେବଙ୍କ ସଙ୍ଗରେ ଯୁକ୍ତିତର୍କ କରୁଥିଲା ।

 

ତୃତୀୟ ପରିଚ୍ଛେଦ

ପାଦ୍ରି ସାହେବଙ୍କ କୋଠି

 

ବାରବାଟୀ କିଲ୍ଲା ପଡ଼ିଆରେ ସାହେବଙ୍କର ଗୋଟିଏ ବଡ଼ କୋଠି । ଚାରି ପାଖରେ ଗୋଟିଏ ଇଟା ପାଚିରି ବୁଲିଅଛି । ଫାଟକ ଡେଇଁଲେ କୋଠି ଆଗ ପଟକୁ ଗୋଟିଏ ମଞ୍ଜୁଆତି ବାଡ଼ ଘେରା ଗୋଲ ବଗିଚା ପଡ଼େ । କୋଠି ସମ୍ମୁଖରେ ଅର୍ଥାତ୍‌ ଦକ୍ଷିଣରେ ଗୋଟିଏ ବଡ଼ ବରଣ୍ତା ଓ ଗାଡ଼ୀ ରହିବାର ମେଲା ଅଛି । ଯୋଡ଼ିଏ ଦ୍ୱାର ଦୁଇଟାଯାକରେ ଯୋଡ଼ାଏ ହଂସପକ୍ଷିଆ ଧୋବ ଫରଫର ଜାଲ ପରଦା ଅର୍ଦ୍ଧପତିତ ଅବସ୍ଥାରେ ଅଛି । ଭିତରେ ସେହିପରି ଗୋଟାକେତେ ପରଦା ମଧ୍ୟ ପୂରା ପଡ଼ିଥିବାର ଦିଶୁଥାଏ । ଗୋଟାଏ ଦିଓଟା ଦ୍ୱାରରେ ମଧ୍ୟ ବାଇଗିଣିଆ ଡାଳିମ୍ବ ଛପା ଛିଟ ପରଦା ଦେଖାଗଲା । ପ୍ରଥମେ ଗୋଟିଏ ମେଲା ଘର ବା ହଲ୍‌ । ମଝିରେ ଗୋଟାଏ ନେଳି ବନାତ ବିଛା ମେଜ ଚାରିପାଖରେ କେତେଗୋଟି ଧଳାପୋଷାକ ପିନ୍ଧା କଳାମଚମଚ ଗୋଲ ଚଉକି ପଡ଼ିଛି । ଚାରିପାଖରେ କାନ୍ଥକୁ ଲାଗି ଚାରିଟା ଗଦିଦିଆ ବୈଠକୀ ଆସନ । କାନ୍ଥରେ ଗୋଟାଏ ବଡ଼ ଚୌହାତିଆ ଦର୍ପଣ - ଦ୍ୱାରମୁହଁକୁ କେହି ଆସିଲେ ଘର ଭିତରେ ଲୋକକୁ ହଠାତ୍‌ ଦେଖାଇ ଦିଏ । ତାହା ଉପରକୁ ଗୋଟିଏ ବଡ଼ କଳା ଘଡ଼ି ଟଙ୍ଗା ହୋଇ ସର୍ବଦା ଟଙ୍ଗ୍ ଟଙ୍ଗ୍ କରୁଅଛି । ତା ପାଖରେ ଇଂରାଜୀ ମାସ, ଦିନ, ବାର ଜଣାଇବାପାଇଁ ଗୋଟାଏ କଳା ମୁଣ୍ତ ପରି କଣ ତିନିପଟା ଦେଖାଇ ଦେଇଅଛି ! କଣ ପାଖରେ ଗୋଟିଏ ଦିଓଟି ଆଲମାରୀ ବିବିଧ ବାଇବେଲ୍‌ ପୁସ୍ତକ ଓ ଡିକ୍ସନାରୀରେ ପୂର୍ଣ୍ଣ । ଏହା ଉତ୍ତରକୁ ଯେଉଁ ସାନ ହଲଟି ଅଛି, ତାହା ମଝିରେ କୁକୁଡ଼ା ଡିମ୍ବ ପରି ଗୋଟିଏ ଗୋଲ ଆଁସିଆ ଟେବୁଲ । ଉପରେ ଧୋବ ଫରଫର ଚାଦର ବିଞ୍ଛା - ଚାରିପାଖରେ ଧୋବ ପୋଷାକପିନ୍ଧା କେତୋଟି ଚୌକି - ଅଳ୍ପ ଛଡ଼ାରେ ଗୋଟିଏ କାଚ ଆଲମାରୀରେ କେତେ କଣ ଘନ ତରଳ ଜିନିଷ କାଚପାତ୍ରରେ ରଖା ଅଛି - ବାଟି, ଥାଳିଆ, ଗିଲାସ, ଚାମଚ ଆଦି କେତେ ଖାଦ୍ୟପାତ୍ର ଓ ହାତହତିଆର ଖଞ୍ଜା ହୋଇ ରଖା ଯାଇଅଛି । ଏଉଟା ଖାନାର ଟେବଲ ହେବ ପରା ! ଏହି ଦୁଇ ହଲର ପଶ୍ଚିମ ପାଖର ଦୁଇଟା ବଖରା ମଧ୍ୟରୁ ସାନ ବଖରାଟି ଗୋସଲଖାନା ବା ସ୍ନାନମଣ୍ତପ । ବଡ଼ଟି ବାଇବେଲ୍‌ ତର୍ଜମା ଅଫିସ । ଗୋଟିଏ ମୋଟାନିଶୁଆ କଳା ଲୋକ ସେ ଘରେ ସାହେବଙ୍କ ପାଖରେ ବସି ସକାଳବେଳେ ବାଇବେଲ୍‌ ତର୍ଜମା କରୁଥାଏ । ସାହେବ ପଦ ପଦ କରି ଧୀରେ ଧୀରେ ଓଡ଼ିଆ ଡାକୁଥାନ୍ତି -ସେ ତାହାକୁ ବେଦବାକ୍ୟ ମଣି ଅବିକଳ ସେହିପରି ଲେଖୁଥାଏ । ଟିକିଏ ଓଲୋମ ବିଲୋମ ହେଲେ ଚଳିବ ନାହିଁ । ସାହେବ ଯେଉଁଠି ‘ପ୍ରେମ’ କହୁଛନ୍ତି, ତୁମେ ସେଠାରେ ‘ସ୍ନେହ’ କହିଲେ ଚଳିବ କାହୁଁ ? ଯେଉଁଠି ‘ଦୂରତା’ ହେବ-ସେଠାରେ ତୁମେ କହିବ ‘ଦୂରତ୍ୱ’ ? ସକାଳେ ତର୍ଜମା କାମ ଆରମ୍ଭ ହେବା ପୂର୍ବରୁ ସାହେବ ଉଠି ନିତ୍ୟକର୍ମ ପରେ ଟିକିଏ ଚାହା ପାଣି କରିଦେଇ କେବେ କେବେ ବରଣ୍ତାରେ ସ୍ନେହର କୁକୁର ସଙ୍ଗେ ଖେଳି ଖେଳି ବୁଲୁଥାନ୍ତି - କେବେ ବା ଖବରକାଗଜ ଘେନି ବୈଠକଖାନାରେ ପଢ଼ି ବସନ୍ତି । ଦିନେ ଦିନେ ମଧ୍ୟ ବଡ଼ ସକାଳୁ ଉଠି ହାଉଆ ଖାଇବାକୁ ବାହାରିଯାନ୍ତି ।

 

ପୂର୍ବପାଖର ଦୁଇ ବଖରା ମଧ୍ୟରୁ ସାନଟିରେ ପୋଷାକ ଆଦି ଥାଏ, ବଡ଼ଟି ମେମ୍‌ସାହେବଙ୍କର କାରବାରି ଘର । ଗୋଟି ଗୋଟି ହୋଇ ସକାଳୁ ସନ୍ଧ୍ୟାଯାଏ ଏଠାକୁ ବହୁତ ଲୋକ ଆସୁଥାନ୍ତି । ଅଧିକାଂଶ ଗରୀବ-ଖ୍ରୀଷ୍ଟାନ ହେବେ ପରା ! କେହି ପିଲା ଆସି କିଛି ପଇସା ମାଗି ନିଏ - କେହି ପିଲା କାଖେଇ ଆସି ଶିଶିରେ ଟିକିଏ ଔଷଧ ନେଇଯାଏ । କାହାର ପିଲା କାନ୍ଦିଲେ ସାକ୍ଷାତ୍‌ ଦୟାର ଅବତାର ମେମ ସାହେବଙ୍କଠୁଁ ଗୋଟିଏ ଦିଓଟି ପାଚିଲା କଦଳୀ କେବେ ପିଜୁଳି ବା ଆତ ନେଇ ପିଲାଙ୍କୁ ବୁଝାନ୍ତି । କେହି ବା ଦୁଃଖୀ ଆସି ଆପଣାର ଦୁଃଖ ହାଲ କହି ଉପଯୁକ୍ତ ଉପଦେଶ ପରାମର୍ଶ ପାଇ ଚାଲିଯାଏ । କେତୋଟି ବାଳିକା ଖାତାପତ୍ର ଘେନି ଆସି ନମସ୍କାର କରି ତାଙ୍କ ପାଖରେ ପଢ଼ି ବସନ୍ତି । କେହି କେହି ମଧ୍ୟ ଛୁଞ୍ଚିର କାମ ଶିଖୁଥାନ୍ତି । ଦିନେ ଦିନେ ସାହେବ ସେ ମହଲକୁ ଆସି ଗୋଟିଏ ଗୋଟିଏ ପିଲା ଛାଡ଼ିଦେଇ ଯାନ୍ତି । କୁକୁଡ଼ା ପାଳିଲା ପରି ସେଥିରୁ ବହୁତ ଗୁଡ଼ିଏ ‘ମାମା’ ଏହିପରି ପାଳନ୍ତି । ଗଲାବେଳେ କାହା ହାତରେ କଦଳୀ ଖଣ୍ତେ - ଡାଳିମ୍ବଟାଏ, କାହାକୁ ବା ଚା ରୁଟି ଆଦି ସ୍ନେହରେ ଦିଆଯାଏ । କିଏ ଯେ କେତେ କିତାବ, କାଗଜ, ପେନ୍‌ସିଲ, କଲମ, ଦୁଆତ, ରୁମାଲ, ଥାନଫଡା ଧୋତି, କମ୍ବଳ ଓଗେର ପାନ୍ତି, ତାହାର ସଂଖ୍ୟା କିଏ ରଖୁଛି ! ବୈଠକଖାନା ପଛଆଡ଼େ ଅର୍ଥାତ୍‌ ପୂର୍ବପାଖରେ ଗୋଟାଏ ବଡ଼ ପୋଖରୀ । ସେଥିର ଗୋଟାଏ ପାଖରେ ଦୁଇ ଜଣ ପଠାଣ ଯୁବା ଠିଆ ଠିଆ ବନିଶୀ ପକାଇ ମଧ୍ୟେ ମଧ୍ୟେ ହଠାତ୍‌ ଗୋଟିଏ ଗୋଟିଏ ଧଳା ଫରଫର ଜୀବ ପୋଖରୀ ଭିତରୁ ଟାଣି ଆଣୁଛନ୍ତି । ମେମ୍‌ସାହେବଙ୍କର ଅନେକ ସମୟରେ ସେହି ପୋଖରୀ ଉପରେ ଆଖି ଥାଏ । ବେଳେ ବେଳେ ମାଛ ମନ୍ଦା ଖେଳାଉଥିବାର ଦେଖିଲେ, ବୋଧହୁଏ ଭାବୁଥାନ୍ତି, ପ୍ରଭୁ କେବେ ଏହିପରି କାମ ମୋତେ ଦେବେ । ଗୋଟାଏ ସାନ୍ତାଳ ଟୋକା ମେମ୍ ସାହେବଙ୍କର ଧରମପୁଅ । ସେ ଭାରି ମାଛ ଧରି ପାରେ, ଆଉ ଗାଈ ଦୁହିଁ ପାରେ । ପ୍ରତିଦିନ ମେମ୍‌ସାହେବ ନିଜେ ତାର ଖାଇବାର ତତ୍ତ୍ୱ ନିଅନ୍ତି । ଏହିପରି ଲେଖାରେ କେତେ ପୁଅ ଝିଅ ତାଙ୍କ ପାଖରେ ବନ୍ଧା ଅଛନ୍ତି । ଆଉ ସେ ସବୁ ବେଶି କହିଲେ ପାଠକମାନେ ବିରକ୍ତ ହେବେ । ଦିନେ ମେଘ ଅନ୍ଧାର - ଝିପି ଝିପି ବରଷା ହେଉଅଛି - ବେଳ ଅନ୍ଦାଜ ପହରେ ହେବ । ପିଲାଟିଏ ଫାଟକ ପାଖକୁ ଆସି ଶଙ୍କି ଶଙ୍କି ଠିଆ ହେଲା । ଭିତରକୁ ଯିବାକୁ ମନ ଥିଲେ ସୁଦ୍ଧା ବାରଣ୍ତାରେ ସାହେବ ଏବଂ ତାଙ୍କ କୁତିକୁ ଦେଖି ପଶିବାକୁ ଭରସି ପାରିଲା ନାହିଁ । ସାହେବ ବରଣ୍ତାରେ ଥାଇ ଦୂରରୁ ତାହା ଉପରେ ଧୀର ପ୍ରଶାନ୍ତ ଦୃଷ୍ଟି ଢାଳିବାକୁ ଲାଗିଲେ । ସିଂହର ସୁଦ୍ଧା ଏପରି ଦୃଷ୍ଟି ପଡ଼ିଲେ ଲୋକ ବିଶ୍ୱାସ କରି ପାଖକୁ ଚାଲିଯିବ । ପିଲାଟି ସହରରେ ରହି ହୁସିଆର ହୋଇ ଗଲାଣି । ମନେ ମନେ ଯୁକ୍ତି ଧରି ଧୀର ବିନୀତଭାବରେ ଯାଇ ସାତ ହାତ ଦୂରରୁ ଗୋଟିଏ ନୀରବ ସଲାମ କଲା । ସାହେବ ଏତେଦିନେ ଶିକାର ଥୋପ ଗିଳିଛି ଦେଖି ଆଗରୁ ଖୁସି ହୋଇ ପଡ଼ିଥିଲେ । ପାଖକୁ ଗଲାକ୍ଷଣି ହଠାତ୍‌ ଚିହ୍ନିପାରିଲା ପରି ପାଖକୁ ଆସି ପିଲାର ସଲାମ ହାତଟାକୁ ଆର ହାତରେ ଲଗାଇ ଦେଇ କହିଲେ, ସଲାମ କାହିଁକି - ନମସ୍କାର କହ ‘ନମସ୍କାର’ । ବେଶି କଥାବାର୍ତ୍ତାକୁ ଆଉ ବେଳ ନାହିଁ । ଚାହୁଁ ଚାହୁଁ ଠନ୍‌ ଠନ୍‌ ହୋଇ ଗିରିଜା ଘଣ୍ଟା ବାଜିଲା । ସାହେବ ବାଇବେଲ ଅନୁବାଦ କରିବା ଲାଗି ପୂର୍ବୋକ୍ତ ପ୍ରକୋଷ୍ଠକୁ ଚାଲିଗଲେ । ଗଲାବେଳେ ମେସ୍‌ସାହେବଙ୍କୁ ବୈଠକଖାନାରେ କଣ ଦି ପଦ କହିଦେଇ ପିଲାଟିକୁ ଛାଡ଼ିଦେଇ ଗଲେ । ବାଳକ ଏଥର ମାମାଙ୍କୁ ନମସ୍କାର କହିବାରୁ ସେ ଆନନ୍ଦରେ ନମସ୍କାର-ନମସ୍କାର କହି ପାଖରେ ଗୋଟିଏ ବେଞ୍ଚରେ ବସିବାକୁ କହିଲେ । ପିଲାଟି ମେମଙ୍କୁ ଦେଖି ମନେ ମନେ ଅଳ୍ପ ହସିଲା - ଦେଖିଲା ଯେ, ଉଚ୍ଚତାରେ ସାହେବଙ୍କଠାରୁ କିଛି ଊଣା ହେଲେହେଁ ସ୍ଥୂଳତାରେ ଢେର ବେଶି । ମୁଣ୍ତରେ କଳା ଧଳା ବାଳର ଗୋଟିଏ ବର୍ତ୍ତୁଳ ଗ୍ରନ୍ଥିଳ କବରୀ-ଦେହରେ ଗୋଟିଏ କଳା ଛିଟର ଫାଶଦିଆ କୁଞ୍ଚ l ପୋଷାକ କଟିଦେଶରେ ବନ୍ଧା ହୋଇଥିବାରୁ ପାଲାବାଲାର ଘେର ପରି ତଳକୁ ଝୁଲି ଖାସା ମାନୁଅଛି । ଡାକବାଲାର ଥଳୀ ପରି ଗୋଟାଏ କାଳିଆ ଥଳୀ ଚମ ପଇତାରେ ଅଣ୍ଟା ତଳକୁ ଝୁଲୁଅଛି । କେହି ଗରିବ ପିଲା ଆସିଲେ ସେଥିରେ ମଧ୍ୟେ ମଧ୍ୟେ ହାତ ପଶେ । ଆମ୍ଭର ଏ ବାଳକଟିର ରୂପ ସେତେ ଭଲ ନ ଥିଲେ କଣ ହେଲା - ଦେହର ବର୍ଣ୍ଣଟା ଗୋରା - ଗଠନଟି ଖାସା ସରଳ ସୁଢଳ । ସେ ଘରେ ପଶିଲାବେଳକୁ ଦୁଇଗୋଟି ବାଳିକା କଣ ଶିଲଟରେ ଲେଖୁଥିଲେ । ସମସ୍ତେ କଣଆଖିରେ ଟିକିଏ କେହି ନ ଜାଣି ଚାହିଁ ନେଲେ । ଗୋଟିଏ କିନ୍ତୁ ଥରେ ଦି ଥର ଚାହିଁ ଦେଇ ଶେଷକୁ ଶିଲଟଫନ୍ଦ ଉପରେ ଚିବୁକ ରଖିଦେଇ ଥକ୍କା ହୋଇଗଲା । ସେଥିରୁ ମୁହଁ ଉଠାଇବା ଆଗରୁ ସେଥିରେ ବାଳକର ଆଖି ପଡ଼ିଗଲା - ଚାରି ଚକ୍ଷୁ ମିଳନ ହୋଇଗଲା । ମନୁଷ୍ୟକୁ ଏହି ଚାରିଚକ୍ଷୁ ରୋଗ ଧରିଲେ ପଛକୁ ବଡ଼ ଘାରି ପକାଏ । ପାଠକମାନେ ବୁଝି ପାରୁଥିବେ ଯେ, ବାଳିକାଗୁଡ଼ିକ ଅବଶ୍ୟ ପାଞ୍ଚବର୍ଷୀୟା ନୁହନ୍ତି -କାହାକୁ ଦଶ, କାହାକୁ ଏଗାର, କାହାକୁ ବା ବାର । ମାମା ଅଭ୍ୟାଗତ ବାଳକଟିକୁ ବଡ଼ ଆଦର ଗୌରବ କରି ଘର କଥା, କଟକ କଥା ସବୁ ପଚାରିଗଲେ - ସବୁ ବୁଝି ଶେଷରେ ଆଶା ଦେଇ କହିଲେ, ‘‘ତୁମ୍ଭର କାଗଜ କଲମ ବହି ଆଦି ଯେତେବେଳେ ଯାହା ଦରକାର ହେଉଥିବ, ତେତେବେଳେ ମୋ ପାଖକୁ ଆସୁଥିବ, ମୁଁ ସବୁ ଦେବି, କିଛି ଭୟ କରିବ ନାହିଁ । ସାହେବ ତୁମ୍ଭଙ୍କୁ ଖୁବ୍‌ ଭଲ ଚାହାନ୍ତି ।’’ ଏତିକିରେ ପିଲାଟି ସେଦିନ ଗୋଟିଏ ଡାଳିମ୍ବ ଉପହାର ପାଇ ଆପଣା ସ୍ଥାନକୁ ମୁହଁ କଲା । ମେମ ସାହେବ ମଝି ଘରଯାଏ ଉଠି ଆସିଲେ । ପିଲାଟି ଖଞ୍ଜରେ ଆଖି ପକାଇ ଦେଖିଲା ଯେ, ଗୋଟିଏ ବାଳିକା ତାହାକୁ ଏକଦୃଷ୍ଟିରେ ଚାହିଁଥିଲା, ହଠାତ୍‌ ଆଖି ପିଛାଡ଼ି ନେଲା ।

 

ଚତୁର୍ଥ ପରିଚ୍ଛେଦ

କଟକ ପିଟନ ସାହି

 

ଏ ପଡ଼ା ଖଣ୍ତକରେ ଖ୍ରୀଷ୍ଟାନ-ପଠାଣ-ତେଲଙ୍ଗା ଆଦି ନାନା ଜାତିଙ୍କର ବାସ । ଗୋଟିଏ କଚା ରାସ୍ତା ବା ମାଟି ସଡ଼କ ତାହା ମଧ୍ୟରେ କୁଞ୍ଚିତ ଗତିରେ ଯାଇଅଛି । ମଧ୍ୟରେ ଏହି ରାସ୍ତା ଉପରୁ ଉତ୍ତରକୁ ଗୋଟିଏ ଗଳି ବାଟ ଫିଟିଅଛି, ଏହି ଗଳି ମୁଣ୍ତରେ ଗୋଟିଏ ମହୁଡ଼ମରା ଚାଳ ଘର । ଚାରିଆଡ଼େ ବାଡ଼ ଘେରା ଅଛି । ପଛପଟରେ ଗୋଟିଏ ସାନ ପୋଖରୀ - ଜଳ ଉପରେ ଗୋଟିଏ ସୁନ୍ଦର କଳମ୍ବ-ଆବରଣ । ଜଣେ କୃଷ୍ଣକାୟ ଯୁବା କଣପଟରେ ବନିଶୀଟାଏ ଧରି ଏକତାନରେ ଉଭା । ଦକ୍ଷିଣ ହସ୍ତରେ କାମିଜି ଖଣ୍ତି ଭିତରେ ମୋଡ଼ିହୋଇ କହୁଣୀଯାଏ ଯାଇଅଛି - ଆର ହାତରେ କୁକୁରଝୁଲା କାନ ପରି ଫାଳେ ଝୁଲୁଛି । ଯୁବକର ଜଳ ଉପରେ ସ୍ଥିର ଦୃଷ୍ଟି । ସାରା ସଂସାର ସେତେବେଳେ ତୁଚ୍ଛ - ଯୋଗୀର ବ୍ରହ୍ମପଦଲାଭରେ ଏତେ ଏକାଗ୍ରତା ଥାଏ କି ନାହିଁ ସନ୍ଦେହ । ବରଂ ଯୋଗୀର ବ୍ରହ୍ମାନନ୍ଦ ଅପେକ୍ଷା ବେଳେ ବେଳେ ଯେହ୍ନେ ସେ ଅଧିକ ଆନନ୍ଦ ପାଏ ! ବନିଶୀର ସୂତ୍ରକମ୍ପନ ସଙ୍ଗେ ସଙ୍ଗେ ଯୁବକର ହୃଦୟରେ ଅପୂର୍ବ ପୁଲକ ଜନ୍ମେ - ତାହା ପଛେ ପଛେ ଗୋଟାଏ ଜ୍ୟୋତିର୍ମୟ ବସ୍ତୁ ଦେଖି ସେ ସର୍ବାଙ୍ଗରେ ଯେଉଁ ପୁଲକ ଅନୁଭବ କରେ, ତାହା ଋଷିପ୍ରାଣରେ ଅନୁଭବ ହୋଇଥିବ କି ନାହିଁ ସନ୍ଦେହ । ଦାସୀଟିଏ ଆସି (ଫେର ପୋଷାକରୁ ତେଲଙ୍ଗାଣୀ ପରି ଦିଶୁଥିଲା) ଧୀର ଶଙ୍କିତଭାବରେ ସେହି କଳମ୍ବ-ମଣ୍ତଳ ପାଖକୁ ଆସି ପକ୍ୱଶାଳି ପ୍ରାୟ ଆନତ ଉତ୍ତମାଙ୍ଗରେ ଉଭା ହେଲା । ଥରେ ଯୁବକ ମୁହଁକୁ ଦୃଷ୍ଟି, ଥରେ କଳମ୍ବ ଡଙ୍କ ପତ୍ରରେ ମୁଷ୍ଟି ପକାଇ ସ୍ୱକାର୍ଯ୍ୟ ସାଧନ କରି ଚାଲିଗଲା । ସଂସାରରେ କେତେଜଣ ଏହିପରି ବ୍ରହ୍ମପଦରେ ଦୃଷ୍ଟି ଏବଂ ସଂସାରକର୍ମରେ ହସ୍ତ ଦେଇ ନୀରବରେ ସେବକଭାବରେ କାର୍ଯ୍ୟ ସାଧନ କରି ଯାନ୍ତି ! ଘର ପଛଆଡ଼େ ଦେଖାଗଲା, କେତେଟା ଯୁବତୀ କୁକୁଡ଼ା ସାନ ସାନ ଭାଇ ଭଉଣୀଙ୍କି ଘଉଡ଼ାଇ କକ୍‌କକ୍ ରଡ଼ି ଛାଡ଼ି ଦଉଡ଼ିଛନ୍ତି । ପାର୍ଶ୍ୱଦେଶରେ ଦେଖାଗଲା, ଗୃହିଣୀ ଫାଲଟା ଉପରେ ଆପଣା ଲୁଗାରେ କମର କଷିଦେଇ ବୀରାଙ୍ଗନାର ବେଶ ଧାରଣ କରିଅଛନ୍ତି ଏବଂ ଗୋଟାଏ ଅଣ୍ତଶାଳିନୀ କୁକୁଡ଼ାକୁ ମାଡ଼ି ବସି ଡିମ୍ବ ନିଷ୍କାଶନରେ ତତ୍ପରା ଅଛନ୍ତି । ଏକଆଡ଼େ ବିଚେଷ୍ଟମାନା କୁକ୍କୁଟୀର ପଦନଖପ୍ରହାର ସହ ଆର୍ତ୍ତନାଦ - ଅପରପାର୍ଶ୍ୱରେ ଗୃହିଣୀ-ଆନନ୍ଦବର୍ଦ୍ଧନ ଶୁଭ୍ର ସୁଢଳ ଡିମ୍ବାବଳୀର ପତନ । ଘର ସମ୍ମୁଖରେ ଗୋଟିଏ ବାଉଁଶର ଧାରଣା - ତାହା ଉପରେ କେତେଟା କୁରୁତା-କାମିଜ-ଜ୍ୟାକେଟ-ଶେମିଜ୍‌-ଗେଞ୍ଜି-ପାଇଜାମା ଇତ୍ୟାଦି ନୂଆ ପୁରୁଣା ପୋଷାକ ଖରା ଦିଆ ହୋଇଅଛି । ସୂର୍ଯ୍ୟଦେବଙ୍କ ଶୋଷଣୀ ଶକ୍ତି ସେଥିରୁ ପୂତିମଳ ଶୋଷଣ କରି ନେଉଅଛି । ସୂର୍ଯ୍ୟ ନ ଥିଲେ ଏ ସମସ୍ତର ଅବସ୍ଥା କଣ ହୁଅନ୍ତା ! ସଂସାରଟା ଯାକ ତ ଦୂଷିତ ମଳ-ଜଳ-ପଙ୍କ-କଳଙ୍କ ଲେପି ହୋଇ ରହିଅଛି । ସେ ସମସ୍ତ ଧ୍ୱଂସ-ଭସ୍ମ କରିଦେବାପାଇଁ ଏକ ମହାଅଗ୍ନିକୁଣ୍ଡ ବିଶ୍ୱହିତ ଅର୍ଥେ ଶୂନ୍ୟରେ ଜଳୁଅଛି । ତାହା ଆଗରେ ଯାହା ପଡିବ, ତାହା ଶୁଦ୍ଧ ହୋଇଯିବ । ଅତଏବ ହେ ପାପୀ-ତାପୀ-ପଙ୍କୀ-କଳଙ୍କୀ, ତୁମ୍ଭେମାନେ ସମସ୍ତେ ସେହି ଜ୍ୟୋତିର୍ମୟଙ୍କ ଆଡ଼କୁ ଅଗ୍ରସର ହୁଅ - ଯଦି ଶୁଦ୍ଧ ପୂତ ହେବ । ଓହୋ ! ଏ ଉଦ୍ଧତ ମନଟା କାହିଁରୁ କେଣିକି ଝାଙ୍କି ନେଉଛି । ପାଠକେ, ପ୍ରସଙ୍ଗବ୍ୟତିକ୍ରମ ଦୋଷଟା କ୍ଷମା କରୁଥିବେ ।

 

ସେହି ବସ୍ତ୍ରାବଳୀର ଅନ୍ତରାଳରେ ସମ୍ମୁଖ ଗବାକ୍ଷ ସ୍ଥଳରେ ଗୋଟିଏ ଚିତ୍ରାର୍ପିତ ପ୍ରତିମା ଦେଖାଗଲା । ପ୍ରକୋଷ୍ଠଟି ନିର୍ଜନ, ବୋଧହୁଏ ବାଳିକା ଉପରେ ଉକ୍ତ ପୋଷାକଗୁଡ଼ିକରେ ଆଖି ରଖିବା ଭାର ଅଛି । ପୋଷାକ ଉପରେ ବାଳିକାର ସ୍ଥିର ନୟନ ଦିଓଟି ପଡ଼ିଅଛି ସତ, ମାତ୍ର ମନ ଥିଲା ପରି ବୋଧ ହେଉ ନାହିଁ । ତେଣୁ ସେ ଆଖି ଆଗରେ ପଡ଼ୁଥିବା ଲୋକଙ୍କୁ ଦେଖି ସୁଦ୍ଧା ଦେଖୁ ନାହିଁ - ପାଖରେ କିଏ କଣ କହିଯାଉଛି, ଶୁଣି ସୁଦ୍ଧା ଶୁଣି ପାରୁ ନାହିଁ । ମନର ଯୋଗ ନଥିଲେ କୌଣସି ଇନ୍ଦ୍ରିୟ କାର୍ଯ୍ୟ କରି ପାରେ କି ? କ୍ଷଣକୁକ୍ଷଣ ଦୀର୍ଘନିଶ୍ୱାସ ପକାଇ ବାଳିକା କେତେବେଳେ କରତଳନ୍ୟସ୍ତକପୋଳା, କେତେବେଳେ ଅଧଃକୃତନୟନଯୁଗଳା, କ୍ଷଣେ ଭାବନାସ୍ତିମିତନୟନା, କ୍ଷଣେ ପୁସ୍ତକୋଦ୍ଘାଟନପରାୟଣା, କ୍ଷଣେ ଧୀରା, କ୍ଷଣେ ଗମ୍ଭୀରା । କାହିଁକି ଏପରି ବାହ୍ୟଜ୍ଞାନଶୂନ୍ୟା ? ପାଠକେ ! ପୂର୍ବେ ଏହାକୁ କେବେ ଦେଖିଅଛନ୍ତି କି ? ମେମ୍‌ସାହେବଙ୍କ ପାଖରେ ଯେଉଁ କେତୋଟି ବାଳିକାଙ୍କୁ ସେଦିନ ଦେଖିଥିଲେ, ସେଥି ମଧ୍ୟରୁ ଏ ଜଣେ ହେବ ! ସରଳା ବାଳିକାର କୋମଳ ମନର ଘନ ଘନ ଏ କି ପରିବର୍ତ୍ତନ ! ଏହାର ହୃଦକେଦାରରେ ଅମୋଘ ପ୍ରେମବୀଜ ରୋପିତ ହୋଇଅଛି କି ? ପ୍ରେମ ବିନା ଆଉ କିଏ ମାନବହୃଦୟରେ ଏପରି ବିକାର ଆଣି ପାରେ ? ବାତ୍ୟା ବିନା ଆଉ କିଏ ଧୀର ସାଗର ଗର୍ଭକୁ ଉତ୍ତୁଙ୍ଗତରଙ୍ଗଭଙ୍ଗରେ ବିକ୍ଷୋଭିତ କରି ପାରେ ? ଦାବାଗ୍ନି ଭିନ୍ନ ଆଉ କିଏ ସମଗ୍ର ଗିରିବନରେ ଘୋର ଅଶାନ୍ତି ଜନ୍ମାଇ ପାରେ ? ବଜ୍ର ଛଡ଼ା ଆଉ କେହି ପର୍ବତ ବିଦାରଣ କରି ପାରିବ କି ? ଜ୍ୱର ବିନା ଆଉ କାହିଁରେ ସର୍ବାଙ୍ଗରେ ତାପ ଉପୁଜିବ କି ? ଥାଉ, ସେ କଥାରୁ ଆମ୍ଭଙ୍କୁ କଣ ମିଳିବ ? ଦେଖୁ ଦେଖୁ ଗୃହକର୍ତ୍ତ୍ରୀ ସେ ପ୍ରକୋଷ୍ଠକୁ ଆସି ଅନ୍ୟମନସ୍କା କନ୍ୟାକୁ ‘ଲିଲି’ ବୋଲି ଗୋଟିଏ ଡାକ ଦେଲେ । ପରେ ଜଣାଗଲା, ବାଳିକାର ପୂରା ନାମ ‘ଲୀଳାବତୀ’ । ଓଳିତଳେ ପଡ଼ିଥିବା ଖଣ୍ଡିଏ ଚିଠିର ଲଫାପା ବା ଖାମକୁ ଦେଖି ବୁଝି ପାରିଲୁଁ ଯେ, ଏ ଘରର ମାଲିକ ରେଭରେଣ୍ଡ ଫିଲିପଚନ୍ଦ୍ର ରାଉତ । ଫିଲପ ବାବୁ ଜଣେ ଖ୍ରୀଷ୍ଟଧର୍ମ ପ୍ରଚାରକ । ସୁତରାଂ ଭୂମିବୃତ୍ତି କିଛି ନ ଥିଲେହେଁ ମିଶନାରୀ ବୃତ୍ତିରୁ କଟକରେ କଥଞ୍ଚିତ୍‌ କୁଟୁମ୍ୱ ପୋଷଣ କରନ୍ତି । ଏପ୍ରକାର ବୃତ୍ତି ଅନେକଙ୍କୁ ଆଜିଯାଏ ପୋଷଣ କରି ଆସୁଅଛି । ଖ୍ରୀଷ୍ଟାନଧର୍ମରେ ଦୀକ୍ଷିତ ହେଲେ ଏ ଗୋଟାଏ ବଡ଼ ସୁବିଧା ! ଏପରି ଲୋଭନୀୟ ବସ୍ତୁର ମାୟା କିଏ ଏ ସଂସାରରେ ସହଜରେ ଏଡ଼ିପାରେ ? ଛାଡ଼ ସେ କଥା - ବର୍ତ୍ତମାନ ‘ପ୍ରକୃତମନୁସରାମଃ’ ।

 

ପଞ୍ଚମ ପରିଚ୍ଛେଦ

କାଠଯୋଡ଼ୀବନ୍ଧ - ସନ୍ଧ୍ୟା

 

ମୋହନ ଆଜି ବଡ଼ ଚିନ୍ତାମଗ୍ନ । ଥରେ ଉର୍ଦ୍ଧ୍ୱମୁଖ, ଥରେ ଅଧୋମୁଖ । କେବେ ପଶ୍ଚିମର ଶୈଳପ୍ରାଚୀର ଉପରେ ଦୃଷ୍ଟି -କେବେ ଦୂରପ୍ରସାରି-ସୈକତଶୟନରେ - କେବେ ଦକ୍ଷିଣର ତରୁଗୁଳ୍ମମୟ ଶ୍ୟାମଳ ପ୍ରଦେଶରେ - କେବେ ଅସ୍ତରବିକରପାଟଳ ବାରୁଣୀଲଲାଟରେ - କେବେ ପୁଣି ଦ୍ୱିତ୍ରନକ୍ଷତ୍ରମଣ୍ଡିତ ସ୍ୱଳ୍ପ ପ୍ରକାଶ ଆକାଶରେ ସେହି ଦୃଷ୍ଟି ପଡୁଅଛି । ଚାଲୁ ଚାଲୁ କେବେ ଚକ୍ଷୁ ଉନ୍ମୀଳିତ - କେବେ ଅର୍ଦ୍ଧମୀଳିତ - କେବେ ବା ନିମୀଳିତ । କେତେବେଳେ ଅଧର ଦଂଶନ - କେତେବେଳେ ନୀରବତାବ୍ୟଞ୍ଜକ ଅଧରୋଷ୍ଠମୁଦ୍ରଣ । ମଧ୍ୟେ ମଧ୍ୟେ ଦୃଢ଼ତାବ୍ୟଞ୍ଜୀ ନୀରବ ତର୍ଜନୀ ଦର୍ଶନ !

ଏକାକୀ ଯୁବକ ବସି ନଦୀ ବନ୍ଧେ

କି ଭାବନା ଭାବୁଅଛି ନାନାଛନ୍ଦେ !

 

ତୁମ୍ଭେ ଭାବୁଛ ପରା ସଂସାରରେ ସବୁ ସୁଖ ଅଛି । କେବଳ ସେଥିରେ ପ୍ରତିବନ୍ଧକ ଥିବାରୁ ଲୋକେ ଭୋଗ କରି ନ ପାରି ସବୁକାଳେ ‘ସଂସାର ଦୁଃଖମୟ’ ବୋଲି ହାହାକାର କରିଆସୁଅଛନ୍ତି । ମନର ଗତି ଯେଉଁଆଡ଼େ ହେଲା, ସେଥିରେ ଏଡ଼େ ବାଧା କାହିଁକି ? ହେଲେ ଏସବୁ ପ୍ରତିବନ୍ଧକ ନଦୀସ୍ରୋତମୁଖରେ ସେତୁ ପରି ହେବା ଉଚିତ ।

 

ପ୍ରିୟ ପାଠକ ଅବଧାନ ! ପାଦ୍ରି ସାହେବଙ୍କ କୋଠିରେ ସେହି ସରଳା ବାଳିକାଟିକୁ ଦେଖିଲା ଦିନୁ ମୋହନର ଏପରି ଭାବନା ଓ ପରିବର୍ତ୍ତନ କି ? ପ୍ରେମର କି ଅଦ୍ଭୁତ ଶକ୍ତି ! ସେହି ବୈଦ୍ୟୁତିକ ଶକ୍ତି ମୋହନର ଧମନୀରେ ପ୍ରବାହିତ ହୋଇ ତାହାର ପ୍ରତି ଅଙ୍ଗ ଉପାଙ୍ଗକୁ ତଡ଼ିତ୍ତରଳ କରିଦେଉଅଛି । ସେହିଦିନଠାରୁ ତାହାର ମନ ଚଞ୍ଚଳ ଆଉ ଅବ୍ୟବସ୍ଥିତ । କେତେବେଳେ ତାହାର ମନ ଲତାକୁଞ୍ଜରେ-ଗିରିପୁଞ୍ଜରେ, କେତେବେଳେ ତାରକାଗୁମ୍ପିତ ଅନ୍ତରୀକ୍ଷରେ ବା ତଣ୍ଡିପ୍ରସ୍ଥମଣ୍ଡିତ ନଦୀବକ୍ଷରେ । ଥରେ ସ୍ନିଗ୍ଧ ସୁଢଳ ଚନ୍ଦ୍ରମଣ୍ଡଳରେ - ଥରେ ସରଳାର ଅମଳଗଣ୍ଡଫଳକରେ । କେବେ କୁମାରୀର ବିଶ୍ରାମସଦ୍ମରେ, କେବେ ବା ଜନକ-ଜନନୀଙ୍କ ପାଦପଦ୍ମରେ । କିନ୍ତୁ ଅଧିକାଂଶ ସମୟ ଲୀଳାବତୀର ମଧୁର ହାସ, ସରସଭାଷା ଓ ମିଳନ ଆଶାରେ । କେତେବେଳେ ଭାଳି ବସେ, ‘‘ଆହା ! କି ସୁନ୍ଦର ମଧୁର ଆଳାପ ! କି ଶୁଭକ୍ଷଣରେ କଟକରେ ପଦାର୍ପଣ-ପଥରେ ପାଦ୍ରୀ ସାହେବଙ୍କ ଦର୍ଶନ - ଇଂରାଜୀରେ ଉଚ୍ଚ ଶିକ୍ଷା ସଙ୍ଗେ ସଙ୍ଗେ ଏପରି ମଧୁର ପରିବର୍ତ୍ତନ । କିନ୍ତୁ ପିତା ମାତାଙ୍କ କଥା ଭାବିଲେ ହୃଦୟରେ ଅକାଳ ସନ୍ଧ୍ୟା ଉପସ୍ଥିତ ହେଉଅଛି ! ଆଉ ସେ କଥା ମନକୁ ଆଣିବି ନାହିଁ - ଆଉ ଗ୍ରାମକୁ ବାହୁଡ଼ିବି ନାହିଁ । ସେ ପଲ୍ଲୀମରୁରେ ମୋହର ଜୀବନବୃକ୍ଷ ଆଉ ଜୀବିତ ରହିପାରିବ ନାହିଁ । ଏକମାତ୍ର ପୁତ୍ର ବୋଲି ତାଙ୍କ ମନରେ ଦୁଃଖ ହୋଇପାରେ । ଏ ସଂସାରରେ ଏହିପରି କେତେ ତ ଦୁଃଖ ଭୋଗ କରୁଛନ୍ତି । ମହାତ୍ମାମାନେ ସଂସାରରେ ଏ ସବୁ ମୋହବନ୍ଧନ ପ୍ରତି ଭ୍ରୂକ୍ଷେପ କରନ୍ତି ନାହିଁ । ତେବେ ମୁଁ କିଆଁ ଏତେ ଚିନ୍ତିତ ? ଏ ସଂସାରରେ ପିତାମାତା କି ପୁତ୍ରକନ୍ୟା କେହି କାହାରି ନୁହଁନ୍ତି । ସମସ୍ତେ ପରସ୍ପରକୁ ଘେନି ସ୍ୱାର୍ଥର ଖେଳ ଖେଳୁଅଛନ୍ତି । ଆପଣାର କାର୍ଯ୍ୟ ସାଧନଲାଗି ଜୀବର ସୃଷ୍ଟି । ମୁଁ ମୋହର ମାର୍ଗ ଦେଖିବି ! ପିତା ମାତାଙ୍କୁ ଅନାଇ ଆଉ ଏ ମୋହର ସ୍ୱାଧୀନ ଉନ୍ମୁକ୍ତ ହୃଦୟକୁ ବୃଥା କଷ୍ଟ ଦେବି ନାହିଁ । ବର୍ତ୍ତମାନ ଲୀଳାବତୀର ଅମଳ ଧବଳ ପ୍ରତିବିମ୍ୱ ମୋହର ହୃଦୟ-ସରରେ ଖେଳୁଅଛି । ତାହାର ମୁଖର ମଧୁର ହାସ୍ୟ ଓ ମଧୁର ଭାଷା ମୋହର ଚକ୍ଷୁ କର୍ଣ୍ଣକୁ ତୃପ୍ତ କରିଅଛି । ତାହାର ପତ୍ରଲେଖା ଛଟା ମୋହ ହୃଦୟରେ ସବୁ ଚିତ୍ର ଆଣି ପ୍ରକଟିତ କରୁଅଛି । ସ୍ନେହର ପ୍ରସ୍ରବଣ ମୋ ଆଡ଼କୁ ଧାବିତ । ମୁଁ ପାମର କେବଳ ତାହାର ପ୍ରତିଦାନ ନ କରି ଅନ୍ୟାୟ କରୁଅଛି । କେବଳ ରୂପଶ୍ରୀ ଦେଖି କଣ ସବୁ ବିସର୍ଜନ କରିବାକୁ ହେବ, ତାହା ନୁହେଁ । ଯେଉଁମାନେ ରୂପଜ ମୋହରେ ପ୍ରତାରିତ ହୋଇଥାନ୍ତି, ସେମାନଙ୍କର ପରିଣାମ ଶୋଚନୀୟ ହୋଇଉଠେ । ଲୋକେ କେବଳ ଶରୀରର କାନ୍ତି ଓ ମୁଖର ଗଠନରେ ରୂପର ବିଚାର କରୁଥାନ୍ତି । କିନ୍ତୁ ତାହା ବଡ଼ ଭ୍ରମ । ରୂପର ବାସ କେତେଠିଁ - ତାହା ମୁଖ ନାସିକା ଛଟାରେ - କର ପଦ ଅଙ୍ଗୁଳିରେ – ଦନ୍ତପଂକ୍ତିରେ - କେଶବେଶ ସଂସ୍କାରରେ - ହାସ ଭାଷ ଚାଲି ଚଳନରେ ଏବଂ ଠାଣି ଚାହାଣିରେ । ଏ ସବୁଥିରେ ଥାଉଁ ଥାଉଁ କେବଳ ବର୍ଣ୍ଣବଦନବିଚାର ବଡ଼ ତୁଚ୍ଛ କଥା । ଆଉ ଯାହାର ନାନା ଗୁଣ ଅଛି, ତାର ରୂପଶ୍ରୀ ତ କାହୁଁ କାହୁଁ ଫୁଟିଆସିବ ! ତେବେ ମୁଁ ତାହାକୁ ହତାଶ କରିବି ନାହିଁ । ବିବାହଟା ହେଲେ ପାଦ୍ରୀ ସାହେବ ବଡ଼ ସନ୍ତୁଷ୍ଟ ହୋଇଯିବେ । ପେଟପାଟଣାର ଆଉ କଷ୍ଟ କିଛି ରହିବ ନାହିଁ । ଆପାତତଃ ଏପ୍ରକାର ବିବାହର ସୁଖଟା ତ ବିଡ଼ିବା ଉଚିତ ହେଉଅଛି । ଶିକ୍ଷିତ ଦମ୍ପତୀର କି ସୁଖ, କି ଉଚ୍ଚ ଆନନ୍ଦ, ତାହା ବକ୍ତୃତାଦିରୁ ଶୁଣିଅଛି - ମନେ ମନେ କଳ୍ପନା କରିଅଛି; ମାତ୍ର ଅନୁଭବ କରିନାହିଁ । ଆମ୍ଭ ଜାତିଟାରେ ସେପରି ସୁଖ ଏ ଜନ୍ମରେ ଅସମ୍ଭବ । ତେବେ କେବଳ ପିତାମାତାଙ୍କୁ ସନ୍ତୁଷ୍ଟ କରିବାପାଇଁ ଏତେବଡ଼ ସୁଖସମ୍ଭାରଟା କଣ ଛାଡ଼ିଦେଇ ବସିବି ! ନା, ସେଉଟା ବଡ଼ ଅବିବେକିର କାର୍ଯ୍ୟ ହେବ । ମହାକବି କାଳିଦାସ କହିଅଛନ୍ତି ପରା-‘‘ଅଳ୍ପସ୍ୟ ହେତୋ ର୍ବହୁହାତୁ ମିଚ୍ଛନ ବିଚାରମୂଢ଼ଃ ପ୍ରତିଭାସି ମେ ତ୍ୱଂ ।’’ ଏକଥା ଅକ୍ଷରେ ଅକ୍ଷରେ ସତ୍ୟ । ବିଷୟର ଗୁରୁତ୍ୱ ନ ବୁଝିବା ନିତାନ୍ତ ଗଣ୍ଡମୁର୍ଖର କାର୍ଯ୍ୟ । ଓହୋ ! କେତେ ପ୍ରଭେଦ ! ଏକଆଡ଼େ ସ୍ୱର୍ଗର ସ୍ନିଗ୍ଧ ଆଲୋକ- ଅନ୍ୟଆଡ଼େ ପାତାଳର ଭୀମାନ୍ଧକାର ! ଏକଆଡ଼େ ପୁଷ୍ପିତ ଉପବନ - ଅନ୍ୟଆଡ଼େ କଣ୍ଟକମୟ ଅରଣ୍ୟ ! ଏଣେ ସ୍ୱଚ୍ଛତୋୟା ତରଙ୍ଗିଣୀ - ତେଣେ ବନ୍ଧଜଳା ପୁଷ୍କରିଣୀ ! କାହିଁ କଟକର ଲୀଳାବତୀ କକ୍ଷ - କାହିଁ ଶୀତଳପୁରର ସେ ଚଷାସାହି । କାହିଁ ପାଦ୍ରୀ ବେନ୍‌ସାହେବ - କାହିଁ ସାମାନ୍ୟ ପାଇକ ହରି ସ୍ୱାଇଁ । ଏଣେ ଶିକ୍ଷିତ ଖ୍ରୀଷ୍ଟିୟାନ ଯୁବକ ବନ୍ଧୁ - ତେଣେ ବର୍ବର ଚଷା ଭାଇ ! ଏ ମହାଅନ୍ତର ଜାଣିଶୁଣି ସୁଦ୍ଧା ଯଦି ଗ୍ରହଣ ନ କରେଁ, ତାହାହେଲେ ମୋହର ଜୀବନ ଅକାରଣ, ଏ ଶିକ୍ଷା ନିଷ୍ଫଳ, ବୁଦ୍ଧି ମୃତ୍‌ପିଣ୍ଡଠାରୁ ସ୍ଥୂଳ ଏବଂ ମୋହର ଏ ମନୁଷ୍ୟତ୍ୱ ବ୍ୟର୍ଥ । ଆଜି ନଦୀବନ୍ଧରେ ମୋହର ଏହି ପ୍ରତିଜ୍ଞା - କଳକଳନାଦିନୀ ଏହି କଲ୍ଲୋଳିନୀର କଲ୍ଲୋଳ ପରି ମୋ ହୃଦୟକନ୍ଦରରେ ଏଥର ପ୍ରେମନିର୍ଝରିଣୀ ବହିଯିବ । ଆଉ ପୂର୍ବ ପ୍ରବାହିତ ସେହି ପ୍ରସ୍ରବଣ ସହିତ ମିଶି ଅପୂର୍ବ ପୁଲକରେ ଊର୍ଦ୍ଧ୍ୱମୁଖରେ ସେହି ଅନନ୍ତ ଆକାଶ ଆଡ଼କୁ ଶୀଘ୍ର ପ୍ରଧାବିତ ହେବ ।’’

 

ଷଷ୍ଠ ପରିଚ୍ଛେଦ

କଟକ ପିଟନ ସାହି - ଗଳି । ବିବିଜାନ୍‌ ।

 

ପିଟନ ସାହି ରାସ୍ତାର କଣମୁଣ୍ଡରେ ଅଳ୍ପ ଅଳ୍ପ ଛଡ଼ାରେ ଯୋଡ଼ିଏ ଚାଳି ଘର ଅଛି । ଗୋଟିକର ଚାରିପାଖରେ କେତୋଟି ଫଳଭାରନତ ଆତଗଛ - ଦାଣ୍ଡ ବଡ଼ ଘରଟିରେ ଦୁଇପହର ଛଡ଼ା ସବୁବେଳେ ଛେଳି ମେଣ୍ଢାମାନଙ୍କର କର୍ଣ୍ଣ ବଧିରକାରୀ ମେଁ-ମାଁ ଶଦ୍ଦ ଶୁଣାଯାଏ । ଭିତର ପାଖର ସାନ ବଖରାଟିରେ ବୁଢ଼ୀ ବିବିଜାନର ସମସ୍ତ ଘରକରଣା ଜିନିଷପାତି ରହିଅଛି । ସଞ୍ଜ ହେଲେ ବିବିଜାନ୍‌ ଛେଳି ମେଣ୍ଢାମାନଙ୍କର ସେହି ବିକଟାଳ ରଡ଼ି ଭିତରେ ଆଉ ମଳମୂତ୍ରର ସେ ଉତ୍କଟ ଦୁର୍ଗନ୍ଧ ଭିତରେ ନାକ କାନକୁ ପଥର କରିଦେଇ ଦାଣ୍ଡଘରର ଦୁଆରେ ବସି ରାସ୍ତାରେ ଯିବା ଲୋକଙ୍କୁ ତକାଇ ବସିଥାଏ । ଆଗରେ ଗୋଟିଏ ବାଉଁଶ ଟୋକାଇରେ କେତେଗୁଡ଼ିଏ ଗଛପାଚିଲା ଆତ ବିକିବା ପାଇଁ ଥୁଆ ହୋଇଥାଏ । ଦିନବେଳେ ବୁଢ଼ୀ କେତେଗୁଡ଼ିଏ ଗୁଲ ଆଉ ଟିକିଆ ଟୋକେଇରେ ପୂରାଇ ପଡ଼ୋସୀ ଗୁଡ଼ାଖୁସେବିମାନଙ୍କର ଦ୍ୱାର ଦ୍ୱାର ବୁଲି ଆପଣା ଉଦରପୂରଣର ଉପାୟଟା କରିପକାଇଥାଏ । ସନ୍ଧ୍ୟା ବୈଠକରେ ପାଖ ପଡ଼ୋସୀ ରାମିଆ ମା’ ଆସି ବିଶ୍ୱାସ କଥା ଭାଷାରେ ମିଳିଯାଏ । ପାଠକେ, ବୋଧହୁଏ ଏହାର ପରିଚୟ ପାଇବାପାଇଁ ଉନ୍ମୁଖ ହେବେ । ସେଥିପାଇଁ ସଂକ୍ଷେପରେ ଏତିକି କହି ପାରୁଁ ଯେ, ରାମିଆର ବାପ କେଉଁ ଶଙ୍କର ବାବୁଙ୍କ ବଗିଚାରେ ମାଳି ଥିବାରୁ ସେହିଠାରେ ଥାଏ । ଶନିବାର ରବିବାର ଦେଖି ଖଞ୍ଜଖାଞ୍ଜରେ ଖସି ଆସି ଘେରାଏ ଘରଦ୍ୱାର ବୁଲି ଚାଲିଯାଏ । ରାମିଆ ମା’ର ଉଭୟ ଲିଙ୍ଗର ଦୁଇ ଚାରିଟା ପିଲା । ଠିକ୍‌ ଆମ୍ଭ ରେଭରେଣ୍ଡ ଫିଲିପ ବାବୁଙ୍କର ସେ କୁକୁଡ଼ାର ଗୋଠ ପରି ଥାନ୍ତି । ଝିଅଟା ବଡ଼ - ସେ ସାନ ପିଲାଗୁଡ଼ାକୁ ଧରିମାରି ସମ୍ଭାଳିବାରୁ ମା’ ଟିକିଏ ଫୁରୁସତ ପାଇଯାଏ । ତେଣୁ ସଞ୍ଜବତି ଲାଗିଲାକ୍ଷଣି ପିଲାଙ୍କର ତୋରାଣୀ ବ୍ୟବସ୍ଥା କରିଦେଇ କେତେଟାଙ୍କୁ ନିଦ୍ରାଭିଭୂତ ଆଉ କେତେଟାଙ୍କୁ ଅର୍ଦ୍ଧନିଦ୍ରିତ ଅବସ୍ଥାରେ ସେହି ମଶାଙ୍କ ମେଳରେ ପକାଇଦେଇ ବିବିଜାନ୍‌ ପାଖରେ ଆସି ନିଶ୍ୱାସ ମାରେ । ଦୁଇ ସଖୀ ମିଳିଗଲେ କେତେ ଦୁଃଖ ସୁଖ, ଆଉ ରାଇଜର କଥା ପଡ଼ିଯାଏ-। ସେ ଦୁହିଙ୍କ ବୈଠକରେ ଯାହା ପଡ଼େ, ଦେଶର କୌଣସି ମହାସଭାରେ ତେତେ କଥାର ଆଲୋଚନା ହୁଏ କି ନାହିଁ ସନ୍ଦେହ ! କେତେବେଳେ ଛେଳି କୁକୁଡ଼ାଙ୍କ ଜନ୍ମମୃତ୍ୟୁ କଥା - କେତେବେଳେ ଆପଣାର ପେଟପାଟଣା କଥା - କେବେ ରାମିଆ ବାପା ବା ସେହିଭଳି ଚାକରଙ୍କ ଦୁଃଖ ଜଞ୍ଜାଳର କଥା - କେବେ ବା ସହରର କଥା - କେବେ କେବେ କେଉଁ ଧର୍ମ ବା ଜାତିର କଥା - କେବେ ବା ସାହେବ ସୁବା ଓ ବାବୁ ଭୟାଙ୍କ କଥା - ଇତ୍ୟାଦି ନାନା କଥାର ଆଲୋଚନା ଆଉ ସାଙ୍ଗେ ସାଙ୍ଗେ ତହିଁର ନିର୍ଦ୍ଧାରଣ ସେହିଠାରେ ହୋଇଯାଏ । ଦୁଃଖର କଥା ଯେ, କେହି ରିପୋର୍ଟର ନ ଥିବାରୁ ସେ ସବୁ କାହାରି କାନକୁ ଆସିପାରେ ନାହିଁ । ଦିନେ ଆମ୍ଭେ ଅତି କୌଶଳରେ - ବଡ଼ ହୁସିଆରୀରେ ତାଙ୍କର ଦରବାରର କଥା ହାସଲ୍‌ କରିଅଛୁଁ । ଏଠାରେ ତାହା ପାଠକମାନଙ୍କୁ ଉପହାର ଦେବାକୁ ମନ ବଳାଇଅଛୁଁ ।

 

ରାମିଆ ମା’ ଆଜିକାଲି ଦୁନିଆର ହାଲଚାଲ ଦେଖି ବଡ଼ ଦୁଃଖ ଓ କ୍ଷୋଭର ପ୍ରିୟସଙ୍ଗିନୀ ବିବିଜାନ୍‌କୁ କହିଲା. ‘‘ବିବି, ଆଜିକାଲିକା କଥା ବେଳକୁବେଳ ଧରମଛଡ଼ା ହେଲା । ତୁମେ ଆମେ ତ ବଖତବେଳେ କେବେ ବଜାରକୁ ବାହାରି ନ ଥିଲେଇଁ । ପର ଲୋକକୁ ପଦେ କଥା କହିବାକୁ ତ ତୁମ ଆମ ଧରମରେ ମନା । ଚାଳିଶ ବରଷରେ ଏବେ ସିନା ପିଲାଏ ପାରିବାରୁ ଆମେ ବଜାରମୁହଁ ଦେଖୁଥାଇଁ - ତୁମ ଶାଶୁ ଥିବାଯାଏ କୋଉଁଠି କାହିଁ ବାହାରୁଥିଲ ? ଏବେ ଭଲା ଦେଖିଲ, ଏ ସାହି ଟୋକିଗୁଡ଼ାକ ଏଣେତେଣେ କଣ ହଉଛନ୍ତି ! ଏ ଖୀରସ୍ତାନ ଗୋଟାଏ କି ଜାତି - ୟାଙ୍କର ତ କିଛି ଠିକଣା ନାହିଁ - ଜାତିପତିର ବିଚାର ଯେମିତି ନାହିଁ - ଥାନ ଅଥାନର ବି ବାରଣ ନାହିଁ । ହେଲେ ଆପଣା ଇଜତ ହୁରୁମତକୁ ଟିକିଏ ଆଖି ନଥାନ୍ତା ! ଏଇଠେଇଁ ଦେଖୁନାହଁ, ସେ ଫିଲିପ ବାବୁ ଘର କଥା କଣ ହେଉଛି !

 

ବିବି- ହଁ ହଁ, ଦେଖୁନାହିଁ କଣ ? ପାଠ ପଢ଼ାଇଲେ ତ ମାଇକିନିଆମାନେ ବାବୁ ବନିଯାନ୍ତି । ସେ ବେଟୀର ଚାଲି ଚଳଣ ଦେଖିଲେ ମୋ ହାଡ଼ ଜଳେ । ବେଳେବେଳେ ମୋ ଦୁଆରକୁ ଆତ ନବା ପାଇଁ ଆସିବ, ତେବେ ସେହିଆଡୁ ଗୋଟାଏ ରୁମାଲ କନାରେ ମୁହଁ ନାକ ବନ୍ଦ କରି ଆସୁଥିବ । ପୁଣି କି ହାକିମି ! ଜଲଦି ଦେ - ତା ନାକରେ ଏମିତି ଗନ୍ଧ ପଶିଯାଉଛି !

 

ରାମିଆ ମା’ - ତା ସତ, ଖାଲି କଣ ସେତିକି - ତା କଥା ତ କେଉଁଠୁ କେଉଁଯାଏ ଗଡ଼ି ଗଲାଣି । ତୁମକୁ ଜଣା ନାହିଁ ପରା ?

ବିବି- ମୁଁ ଜାଣେ ନାହିଁ - ସେ ବଗୁଲିଆ ଟୋକାଟା କେତେ ଏଠିକି ଆସୁଛି । ତାହା ସାଙ୍ଗରେ କେତେ ହସ ଖେଳ - ଥଟା ଟାପରା । ହାତ ଧରାଧରି ହୋଇ ସଭିଁଙ୍କ ଆଗୁଟାରେ ପରା ବୁଲୁଥାନ୍ତି ।

 

ରା- ସେ କଣ ୟାକୁ ବାହା ହବ ବୋଲି କଥା ହଉଛି । ବାହା ନ ହଉଣୁ ଏମିତି !

ବିବି- କେବେ ଭଲା ବାହାଘର ହେବ ?

 

ରା- ତାଙ୍କର କଣ ଆମ ଜାତି ପରି ଭଲ ମାସ କି ଭଲ ଦିନ ଲଗ୍ନ ଅଛି କି ଲୋ ? ମାସର ପହିଲା କି ଛୁଟି ଦିନ       ଦେଖିକରି ସେଥିରେ ତାଙ୍କର ବାହାଘର କରିଦିଅନ୍ତି । ୟାଙ୍କର କେବେ ହେବ କେଜାଣି - ମୁଁ ସେତେ କଥା ବୁଝିବାକୁ ଯାଏ ନାହିଁ । ଅଦାବେପାରୀର ଜାହାଜ କାରବାରରୁ କଣ ମିଳିବ ?

ବିବି- ହେଉ, ଛାଡ଼ ସେ କଥା, ଆମକୁ ସେଥିରୁ କିଛି ଫାଇଦା ନାହିଁ ।

 

ରାମିଆ ମା’ ଆଉ ଅବା କଣ କହିଥାନ୍ତା, ଏତିକିବେଳେ ପିଲାଟାଏ ରଡ଼ି ଛାଡ଼ିବାରୁ ରାମିଆ ମା’ ତରତର ହୋଇ ସେଠାରୁ ଚାଲିଗଲା । ଏକାକିନୀ ବିବିଜାନ୍‌ ରାତି ବେଶି ହୋଇଯିବାର ଦେଖି ଦାଣ୍ଡ ଦୁଆରରେ ତାଟିକି ଲଗାଇଦେଇ ଅନ୍ତଃପୁରକୁ ଚାଲି ଗଲା । ତେଣୁ ଆଉ ଅଧିକ ଶୁଣିବା ଆମ୍ଭମାନଙ୍କ ଭାଗ୍ୟରେ ଘଟିଲା ନାହିଁ ।

 

ସପ୍ତମ ପରିଚ୍ଛେଦ

ଅଦାଲତ କଚେରି-ବିଚାର

 

ଆଜି ଅଦାଲତରେ ଲୋକାରଣ୍ୟ । ଓଳିତଳ କଣ, ଗଛମୂଳ କଣ, ବାଟ ବରଣ୍ଡା କଣ, ସବୁଠାରେ ପଞ୍ଝା ପଞ୍ଝା ଲୋକ । କେଉଁଠି ଦଳେ ଓକିଲ ଚାରିପାଖରେ - କାହିଁ ଦଳେ ମୋହରିର ଚାରିପାଖରେ - କାହିଁ ବା ଦଳେ ଦଳେ ଅମଲା, ମାମଲତକାର ଚାରିପାଖରେ ଘେରଖାଇ ବୁଲୁଅଛନ୍ତି । ଗଛମୂଳରେ ପଞ୍ଝାଏ ଜଣକେତେ କଲମଖୋରଙ୍କୁ ( ଖୋର କହିବାର ଉଦ୍ଦେଶ୍ୟ ଏହି ଯେ, ନିଶାଖୋର ଯେପରି ନିଶା ଛାଡ଼ିପାରେ ନାହିଁ, ଏମାନେ ସେହିପରି କଲମ ଛାଡ଼ିଲେ ମୁହୂର୍ତ୍ତେ ବର୍ତ୍ତି ପାରିବେ ନାହିଁ ।) ବେଢ଼ି ବସିପଡ଼ିଅଛନ୍ତି । କଲମୀମାନେ ଆଣ୍ଠୁ ଉପରେ ଖଣ୍ଡେ ଖଣ୍ଡେ ପଇସିକିଆ କାଗଜ ବିବିଧ ଭାଙ୍ଗରେ ଭାଙ୍ଗି ଅଧିକ ଅର୍ଜନ ଆଶାରେ ଅତି ତରତରରେ ଆପଣାର ମୁଖର କଲମରେ ଚର ଚର ଗାରେଇ ପକାଉଅଛନ୍ତି । ବାରଣ୍ଡାରେ ଜଣେ ଜଣେ ମୋହରିର ମୟୂରପକ୍ଷିକଲମ କାନରେ ଖୋଷିଦେଇ ବେକାଏ ବେକାଏ କାଗଜ ହାତରେ ଧରି ଏ ଘର ସେ ଘର ଦୁଇ ତିନି ଅନୁଚର ସହ ପଶି ଯାଉଅଛନ୍ତି । ଆଗପଟରେ ଜଣକେତେ ଟରଣୀ ମଶାଣିରେ କୁଆ ଶାଗୁଣା ବା ଶ୍ୱାନ ଶୃଗାଳ ପରି ଲୋକଙ୍କୁ ଘେନି ଟଣାଓଟରା ଲଗାଇଅଛନ୍ତି । ଯାତ୍ରିଙ୍କି ଦେଖିଲେ ଅର୍ଥାଶୀ ପଣ୍ଡାପଢ଼ିଆରୀମାନେ ଯେପରି ଆଚରଣ କରନ୍ତି, ନୂଆ ମହକିଲ ଦେଖି ପଞ୍ଝାଏ ସେପରି ବ୍ୟବହାର କରିବାରେ କିଛିମାତ୍ର ତ୍ରୁଟି କରୁ ନାହାନ୍ତି । ଆଜି ବରଣ୍ଡାରେ କେତେଗୁଡ଼ିଏ ଉତ୍ତରୀୟବିହୀନ କୋଟ କାମିଜଧାରୀ ଏକବାଛିଆ ଲୋକ ଦଣ୍ଡାୟମାନ । କେହି ଛତ୍ରହସ୍ତ, କେହି ବେତ୍ରହସ୍ତ, କେହି ମସ୍ତକହସ୍ତ, କେହି ବା ପୁସ୍ତକହସ୍ତ, କେହି ଯଷ୍ଟିକର, କେହି ଘଟୀ-ଧର । କଚେରି ପଛପଟରେ ଗୋଟିଏ ବଟବୃକ୍ଷ ମୂଳରେ କେତେଗୁଡ଼ିଏ ଧବଳବସନା ମହିଳା ରଙ୍କ-ସଶଙ୍କ ନୟନରେ ଦଣ୍ଡାୟମାନା । ବରଣ୍ଡାରେ କେତେଗୁଡ଼ିଏ ମଫସଲୀ ସାକ୍ଷୀ ଦେଖଣାହାରୀ ରୁଣ୍ଡ ହୋଇ କଚେରିର ଗୋଟିକିଗୋଟି ବଖରା ନିଠେଇ ନିଠେଇ ଦେଖି ଗପି ଗପି ଅନ୍ୟମନସ୍କ ଭାବରେ ଯାଉଥିବା ବେଳେ ଜଜ୍ ସାହେବଙ୍କ ମିସଲର ଆଗଦ୍ୱାରଠାରେ ଚାପରାଶି ‘ଚୁପ୍‌ଚୁପ୍‌’ ହୁକୁମ ସହିତ ଧକ୍କା ଦେଇ ତଳେ ଗଡ଼ି ଯିବାକୁ କହୁଅଛି । ଏହି ସମୟରେ ଜ୍ୟେଷ୍ଠ କନିଷ୍ଠ ଜଣକେତେ ଓକିଲ ମୁଣ୍ଡରେ ପାଲା-ପଗଡ଼ି ବସାଇ ଦେଇ ବ୍ୟଗ୍ର ଭାବରେ ସେ ଘରେ ଲସରପସର ହୋଇ ପଶିଗଲେ । ପଛେ ପଛେ ସଙ୍କେତ ପାଇ ଫିଲିପ ବାବୁଙ୍କ ସଙ୍ଗରେ ସେହି ରୁଣ୍ଡୀଭୂତ ଦଳଟି ଗଡ୍ଡଳିକାପ୍ରବାହ ପରି ଗୋଟି ଗୋଟି ହୋଇ ଚାଲି ଗଲେ । ନାଟରଙ୍ଗ ବା ହଟଚମଟ ଦେଖିବାର ଥିଲେ ଲୋକେ ଯେପରି ହୁଅନ୍ତି, ଅନେକେ ସେହିପରି ସେହିଆଡ଼କୁ ଦ୍ରୁତପଦରେ ଅଗ୍ରସର ହେବାକୁ ଲାଗିଲେ । ଏହି ସମୟରେ ଚପରାଶି ‘ଜନମୋହନ ସ୍ୱାଇଁ ହାଜର ହେ’ ଡାକି ଦିଅନ୍ତେ ତତ୍‌କ୍ଷଣାତ୍‌ ପୂର୍ବରୁ ସାବଧାନ ପାଠକମାନଙ୍କର ପୂର୍ବପରିଚିତ ମୋହନ କିଞ୍ଚିତ୍‌ ଅନାଦରରେ ହାଜର ହାଜର କହି ନିଜ ଓକିଲ ପଛେ ପଛେ ମିସଲ ଭିତରକୁ ଟଣା ହୋଇ ଗଲା ପରି ପ୍ରବେଶ କଲେ । ଆମ୍ଭେମାନେ ମଧ୍ୟ ଏହି ଗହଳରେ ପଶିଗଲୁଁ । ଦେଖିଲୁଁ, ଉଭୟ ପାର୍ଶ୍ୱରେ ଦୁଇଦଳ ନୂଆ ପୁରୁଣା ଓକିଲ - କେତେକ ବ୍ୟବହାରୀ, ଆଉ କେତେକ ଦେଖଣାହାରୀ । ବାଦିର ପାର୍ଶ୍ୱ ଭାଗରେ ଓକିଲଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣ ଥିଲା । ଅପର ପର୍ଶ୍ୱରେ ଓକିଲସଂଖ୍ୟା ଅଳ୍ପ ଥିଲେହେଁ ପ୍ରତିବାଦିର ପ୍ରଧାନ ଓକିଲ ବାବୁ ପି.ସି. ମିତ୍ର ସ୍ଥୂଳକାୟ ଥିବାରୁ ଦୁଇ ତିନିଜଣଙ୍କର ଅଭାବ ପୂରଣ କରୁଥିଲେ । ପ୍ରତିବାଦୀ ଉପସ୍ଥିତ ହେବା ମାତ୍ରେ ଅର୍ଗଳୀ ମଧ୍ୟରେ ପ୍ରବେଶ କରି କାଠବାଡ଼ରେ ବାହୁଭରା ଦେଇ ଲଜ୍ଜାକ୍ଷୋଭରେ ହୃଦୟ ଜର୍ଜରିତ ହେଉଥିଲେହେଁ ଆପଣକୁ ନିରପରାଧ ବୋଲି ପରିଚୟ ଦେବାପାଇଁ ସଦୟ ଭାବରେ ନିର୍ଭୀକବତ୍‌ଠିଆ ହେଲେ । ତତ୍‌କ୍ଷଣାତ୍‌ ସତ୍ୟଶ୍ରାବଣ କରାଗଲା - ତହୁଁ ବାଦିର ପ୍ରଧାନ ଓକିଲ ବାବୁ ଜି. ବି. ଚୌଧୁରୀ ଠିଆ ହୋଇ ପଢ଼ୁଥିବା ନଥିବିଡ଼ାଟା ତକ୍ତା ଉପରେ ଥୋଇ ଦେଇ - ସୁନାଶିକୁଳିଲଗା ଚଷମାଟା ଛାତି ଉପରେ ଝୁଲାଇ ଦେଇ ଅଳ୍ପ ଆନତବଦନରେ ପ୍ରତିବାଦିକୁ ପ୍ରଶ୍ନ କଲେ - ତୁମ୍ଭର ନାମ ?

 

ପ୍ରତି- ଜନମୋହନ ସ୍ୱାଇଁ । (ଏଣେ ଉଭୟପକ୍ଷରେ ଦୁଇ ଜଣ ସାନ ଓକିଲ ତକ୍ତା ଉପରେ ପୁଳାଏ କାଗଜ ଥୋଇ ତରତରରେ କଣ ଟିପିବାକୁ ଲାଗିଲେ ।)

 

ଓ- ପିତାର ନାମ ?

ପ୍ରତି- ହରିହର ସ୍ୱାଇଁ ।

ଓ- ବୟସ ?

ପ୍ରତି- ପଚିଶ ବର୍ଷ ।

ଓ- ବାସସ୍ଥାନ ?

ପ୍ରତି- ଖୋରଧା ଅନ୍ତର୍ଗତ ଶୀତଳପୁର ।

ଓ- ଜାତି ?

ପ୍ରତି- (ଟିକିଏ ଇତସ୍ତତଃ ହୋଇ ଚିନ୍ତାଭିନୟରେ) ହିନ୍ଦୁ ।

ଓ- ବ୍ୟବସାୟ ?

ପ୍ରତି- ଚାକିରି ।      

ଓ- ଆଚ୍ଛା, ତୁମ୍ଭେ ଏଠା ହାଇ ସ୍କୁଲରେ ପଢୁଥିଲ ?

ପ୍ରତି- ହଁ ।

ଓ- ସେତେବେଳେ ତୁମ୍ଭର ନାମ ମୋହନ ସ୍ୱାଇଁ ଥିଲା ନା ?

ପ୍ରତି- ହଁ ।

ଓ- ତେବେ ‘ଜନମୋହନ‘ କିପରି ହେଲା ? ତାହାହେଲେ ତୁମ୍ଭେ କଣ ଖ୍ରୀଷ୍ଟାନ ଧର୍ମ ଗ୍ରହଣ କରିଅଛ ?

 

ପ୍ରତି- ନା, ପଢ଼ିବା ସମୟରେ ମୋହର ଗୋଟାଏ ସେଆଡ଼କୁ ‘ଟେଣ୍ଡେନ୍ସି’ ଥିଲା । (ପାଠକମାନଙ୍କୁ ଏଠାରେ ସତର୍କ କରି ଦେଉଅଛୁଁ ଯେ ଆମ୍ଭମାନଙ୍କର ଏ ଆସାମୀ ଅନ୍ୟ ଦୋଷୀ ପରି ଭୀତଭାବରେ ବା ଗଦ୍ଗଦକଣ୍ଠରେ କିଛି କହୁ ନ ଥିଲେ । ଅଥବା ପଦେ କହିପକାଇ ଅନ୍ୟଥା ପ୍ରତୀତ ହେବା ଶଙ୍କାରେ ଅଧରସ୍ଫୁରଣ ସହକାରେ ଆଉ ପଦେ କହିବାକୁ ବ୍ୟଗ୍ର ହେଉ ନଥିଲେ । ନିର୍ବିକାରଚିତ୍ତରେ କିଞ୍ଚିତ୍‌ ରୋଷକଷାୟିତ ଦୃଷ୍ଟିରେ ମିତଭାଷୀ ପରି ଅଳ୍ପ କଥାରେ ଯେହ୍ନେ ସତ୍ୟଶୁଦ୍ଧ ଉତ୍ତର ପ୍ରଦାନ କରୁଥିଲେ ।)

 

ଓ- ଆଚ୍ଛା, ତୁମ୍ଭେ ଯେ ପୈତୃକ ନାମ ପରିବର୍ତ୍ତନ କରିଅଛ, ଆଫିଡ଼େବିଟ୍‌ କରିଥିଲ ?

ପ୍ରତି- ନାହିଁ ।

ଓ- ଆଚ୍ଛା, ରେଭରଣ୍ଡ ବେନ ସାହେବଙ୍କୁ ଜାଣ ?

ପ୍ରତି- ଜାଣେଁ ।

ଓ- କେବେ ତାଙ୍କ କୋଠିକି ଯାଇଅଛ ? ସପ୍ତାହରେ କେତେ ଦିନ ଯାଅ ?

ପ୍ରତି- କେବେ କେବେ ଯାଇଅଛି । କୌଣସି ନିର୍ଦ୍ଦିଷ୍ଟ ଦିନ ନାହିଁ ?

ଓ- ତାଙ୍କର ମେମ୍‌ସାହେବଙ୍କଠାରୁ ତୁମ୍ଭେ ଅନେକ ଥର ସାହାଯ୍ୟ ପାଇଅଛ ?

ପ୍ରତି- ପାଇଛି ।

ଓ- ଆଚ୍ଛା, ତାଙ୍କ ପାଖରେ କେତୋଟି ଖ୍ରୀଷ୍ଟାନ ବାଳିକାଙ୍କୁ ତୁମ୍ଭେ ଦେଖିଥିଲ ?

ପ୍ରତି- ହଁ, କେତେଜଣ ପଢ଼ୁଥିବାର ଦେଖିଥିଲି ।

ଓ- ସେଥି ମଧ୍ୟରୁ କାହା ସହିତ ତୁମ୍ଭର ପରିଚୟ ବା ଘନିଷ୍ଠତା ଜନ୍ମିଅଛି ?

ପ୍ରତି- ନାହିଁ ।

ଓ- ତୁମ୍ଭେ ଲୀଳାବତୀ ରାଉତକୁ ଜାଣ ?

ପ୍ରତି- ନାମ ଶୁଣିଅଛି, ଦେଖା ବା କଥାଭାଷା କିଛି ହୋଇ ନାହିଁ ।

ଓ- ଆଚ୍ଛା, ତୁମ୍ଭେ ବାଇବେଲ ପଢ଼ି ଅଛ ? କେତେ ଥର ? ଆଉ ସାହେବଙ୍କଠାରୁ ସମୟ ସମୟରେ ଧର୍ମୋପଦେଶ

ପାଇଅଛ କି ?

ପ୍ରତି- ପଢ଼ିଛି, କେତେ ଥର ମନେ ନାହିଁ । ପ୍ରଥମେ ପ୍ରଥମେ ସାହେବ ମୋତେ କେତେକ ଉପଦେଶ ଦେଇଥିଲେ ।

ଓ- କେତେଦିନ ହେଲା ତୁମ୍ଭେ ସେ ଉପଦେଶରୁ ବଞ୍ଚିତ ହୋଇଅଛ ?

ପ୍ରତି- ମୁଁ ପ୍ରାୟ ବର୍ଷେ ହେଲା ତାଙ୍କ କୋଠିକି ଯାଇ ନାହିଁ ।

ଓ- ଆଚ୍ଛା, ତୁମ୍ଭ ନାମରେ ଯେଉଁ ଅଭିଯୋଗ ହୋଇଅଛି, ତାହା ତେବେ ସତ୍ୟ ?

ପ୍ରତି- ଏ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ।

 

ତହୁଁ ଓକିଲ ବାବୁ ମୁହଁ ଫେରାଇ ତାହାଙ୍କ ହସ୍ତଲିଖିତ ପତ୍ରାଦି କଣ ଅଛି ବୋଲି ଫିଲିପ ବାବୁଙ୍କୁ ମାଗିବାରୁ ସେ ନଥିରୁ ଖଣ୍ଡିଏ ପତ୍ର ଦେଖାଇଦେଇ ସମସ୍ତେ ନ ଶୁଣିଲା ପରି କହିଲେ, ‘‘ଏହି ଖଣ୍ଡିକ ତାଙ୍କର ଶେଷ ପତ୍ର ଏବଂ ଏତିକି ମୋ ପାଖରେ ଥିବାରୁ ଦାଖଲ କରିଥିଲି ।’’ ଓକିଲ ବାବୁ ହଠାତ୍‌ ନାକରେ ଚଷମା ଲଗାଇଦେଇ ଥରେ ପତ୍ରଖଣ୍ଡିକି ଚାହିଁ ଦେଲେ ଏବଂ ପତ୍ରର ସମଗ୍ର ଲିପି ପରୋକ୍ଷରେ ରଖି କେବଳ ସ୍ୱାକ୍ଷର ଅଂଶଟି ଦେଖାଇ ପଚାରିଲେ - ଏ ତୁମ୍ଭର ସ୍ୱାକ୍ଷର ତ ?

ପ୍ରତି- ହଁ, ମୋହରି ସ୍ୱାକ୍ଷର ପରି ଦିଶୁଛି । (କହିସାରି କ୍ଷଣିକ ଚିନ୍ତାଭିନୟ ।)

 

ଓ- ଗତ ବର୍ଷ ତୁମ୍ଭେ ଏ ପତ୍ର ଶ୍ରୀମତୀ ଲୀଳାବତୀ ରାଉତଙ୍କ ନିକଟକୁ ଲେଖିଅଛ ? ତୁମ୍ଭର ତାହାହେଲେ ତାଙ୍କ       ସହିତ ବିବାହ ପ୍ରସ୍ତାବ ଧାର୍ଯ୍ୟ ହୋଇଥିଲା ?

 

ପ୍ରତିବାଦୀ କିଛି ଉତ୍ତର ନ ଦେଉଣୁ ତାଙ୍କର ଓକିଲ ହଠାତ୍‌ ଉଠିପଡ଼ି ବାଧା ଦେଇ ହାକିମଙ୍କ ଆଡ଼କୁ ଅନାଇ କହିଲେ, ‘‘ହଜୁର ! ଏ ପତ୍ର ଖଣ୍ଡି ଏଠାରେ ପାଠ କରାଯାଉ ।’’ ସଙ୍କେତରେ ପତ୍ରଧାରୀ ଓକିଲ ତାହା ପାଠ କରିବାକୁ ଆରମ୍ଭ କଲେ ।

 

ମୋହର ପ୍ରିୟ ଲିଲି,

ପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ ।

ମୁଁ ତୁମ୍ଭଙ୍କୁ କାହିଁକି ଯେ ଏତେ ପ୍ରେମ କରେଁ, ତାହା ମୁଁ ଜାଣି ପାରଇ ନାହିଁ । ଜଗତରେ ଲୋକେ ସୁନ୍ଦର ରୂପ ଦେଖି ଯେତେ ଢଳନ୍ତି, ମୁଁ ତୁମ୍ଭ ଗୁଣରେ ତାହାଠାରୁ ଅଧିକ ଢଳିଅଛି – ଜାଣ-। କହିବାକୁ ମନ ବଳୁ ନାହିଁ ଯେ, ମୁଁ ବର୍ତ୍ତମାନ ତୁମ୍ଭଠାରୁ ଅନ୍ତର ହେବାକୁ ବସିଅଛି । ମୋହର ମନର ଅବସ୍ଥା ଭଲ ନୁହେଁ - ପିତା ମାତାଙ୍କ କଥା ଭାବି ମନ ବଡ଼ ଅସ୍ଥିର ହେଉଅଛି । ନାନା କାରଣରୁ ମୁଁ ଏନ ସ୍ଥାନ ପରିତ୍ୟାଗ କରିବାକୁ ବାଧ୍ୟ ହୋଇ ଚାକିରି ନିମିତ୍ତ ସ୍ଥାନାନ୍ତରକୁ ଯିବି-। ମୋହ ପ୍ରତି ତୁମ୍ଭେ ଯେଉଁ ପ୍ରେମ ଭାବ ରଖିଥିଲ, ତାହା ମୁଁ କେବେହେଁ ପାସୋରି ପାରିବି ନାହିଁ । ଏତିକିରେ ତୁମ୍ଭଠାରୁ ବିଦାୟ ନେଲି ।

ମୁଁ ତୁମ୍ଭର ପ୍ରେମପାଶବଦ୍ଧ

ଜନମୋହନ ।

ପୁନଶ୍ଚ- ତୁମ୍ଭର ଉପନ୍ୟାସ ବହି ଦୁଇଖଣ୍ଡି ପରେ ପଠାଇଦେବି ।

ଜ. ମୋ.

 

ପତ୍ରପାଠାନ୍ତେ ପ୍ରତିବାଦିର ଓକିଲ ଥରେ ଅପର ପକ୍ଷ ଓକିଲଙ୍କ ମୁହଁକୁ, ଥରେ ହାକିମଙ୍କ ଆଡ଼କୁ ଅନାଇ ଦୁଇ ତିନି ଥର ଅଧର ସ୍ଫୁରଣ ପରେ କହିଲେ, ‘‘ହଜୁର ! ଏ ପତ୍ରରୁ କୌଣସି ଚୁକ୍ତି ଥିବାର ଅନୁମାନ ହେଉ ନାହିଁ । ଅତଏବ ଏହି ପତ୍ରବଳରେ ବିବାହ ପ୍ରସ୍ତାବ ହୋଇଥିଲା ବୋଲି କହିବା ଅସଙ୍ଗତ ଅଟେ । ଆଉ ମଧ୍ୟ ମୋହର ମହକିଲ ବାଦିନୀ ସହିତ କୌଣସି ସମ୍ପର୍କ ଥିଲା ବୋଲି ସ୍ୱୀକାର କରି ନାହିଁ ।’’

 

ଅବଜ୍ଞାବ୍ୟଞ୍ଜକ ସ୍ମିତସହକାରେ ପ୍ରତିପକ୍ଷଙ୍କ ସେ ଯୁକ୍ତି ଶ୍ରବଣ କରି ଚୌଧୁରୀ ମହାଶୟ ଦୁଇ ତିନିଟା ବଡ଼ ବଡ଼ ଆଇନ ବହି ତରତରରେ ମେଲାଇ ପକାଇ କିଛିକ୍ଷଣ କଣ ମନେ ମନେ ଗୁଣି ଦୁଇ ତିନିଥର ଦୃଢ଼ତାବ୍ୟଞ୍ଜକ ତର୍ଜନୀ ନିର୍ଦ୍ଦେଶପୂର୍ବକ ମୁଖ ଉତ୍ତୋଳନ କଲେ ଏବଂ ହାକିମ ଆଡ଼କୁ ଚାହିଁ କ୍ଷଣିକ ସ୍ତିମିତଭାବରେ କହିଲେ,‘‘ ହଜୁର ! ଶେଷରେ ମୋହର କିଛି ବକ୍ତବ୍ୟ ଅଛି । ଅନୁମତି ହେଲେ ମୁଁ ଗୋଟିଏ ଶିଶୁ ସନ୍ତାନକୁ ଏଠାକୁ ଅଣାଇ ତାହାଦ୍ୱାରା ପ୍ରମାଣ କରାଇ ପାରିବି ଯେ, ଏହାଙ୍କର ବାଦିନୀ ସହିତ ପ୍ରକୃତ ପ୍ରଣୟ ଥିଲା ।’’

 

ବିସ୍ମୟସ୍ତିମିତ ନେତ୍ରରେ କେହି କେହି ଅଧୋବଦନରେ ଏହା ଶ୍ରବଣ କଲେ । ପ୍ରତିବାଦୀ ନୀରବ ହୋଇ କ୍ଷଣକ ପରେ ଆପଣା ଓକିଲଙ୍କୁ କଣ ସଙ୍କେତ କଲେ । ଓକିଲ ବାବୁ ଠିଆ ହୋଇ ବାଦୀ ପକ୍ଷର ଓକିଲଙ୍କ କଥାର ପ୍ରତିବାଦ କରି ଯୁକ୍ତିବଳରେ ତାହା ଖଣ୍ଡନ କରିବାକୁ ଚେଷ୍ଟା କଲେ । ମାତ୍ର ବୃଥା କାଳକ୍ଷେପ ଭୟରେ ହାକିମ ଆଉ ଓକିଲଙ୍କ ଯୁକ୍ତିତର୍କମୟ ବକ୍ତୃତାରେ କର୍ଣ୍ଣପାତ ନ କରି ମଧ୍ୟେ ମଧ୍ୟେ କଲମଟା ଅଧରୋଷ୍ଠ ମଧ୍ୟରେ ଚାପି ରାୟ ଲେଖିବାକୁ ଆରମ୍ଭ କଲେ । ପରିଶେଷରେ ସର୍ବସମକ୍ଷରେ ସେହି ରାୟ ପଠିତ ହୋଇ ସାରିବା ପରେ ସୁଖେ ଦୁଃଖେ ଏକେ ଏକେ ପ୍ରକୋଷ୍ଠ ତ୍ୟାଗ କଲେ ଏବଂ କ୍ଷଣକରେ ସେ ଗୃହ ବିରଳତାରକ ନିଶାନ୍ତକାଳ ପରି ଅଥବା ବକ୍ତୃତାନ୍ତସ୍ଥିତ ସଭାକକ୍ଷ ପରି ବିରଳ ଶୋଭା ଧାରଣ କଲା । ପାଠକମାନେ କେଜାଣି ଶୁଣିବାକୁ ଆଗ୍ରହୀ ଥିବେ, ଏଥିପାଇଁ ଆମ୍ଭେମାନେ ସେ ରାୟର ସାରାଶଂ ଏଠାରେ ପ୍ରକାଶ କରୁଅଛୁଁ ।

 

‘‘ଆମ୍ଭେ ଏ ମକଦ୍ଦମାଘଟିତ ସମସ୍ତ କଥା, ଭଦ୍ରବ୍ୟକ୍ତିମାନଙ୍କର ସାକ୍ଷ ଏବଂ ଉଭୟ ପକ୍ଷର ଓକିଲ ବାବୁ ଗୋଷ୍ଠବିହାରୀ ଚୌଧୁରୀ ଓ ବାବୁ ପ୍ରତାପଚନ୍ଦ୍ର ମିତ୍ରଙ୍କ ଯୁକ୍ତି ତର୍କ ଆଦି ମନୋଯୋଗ ସହକାରେ ଶୁଣିଅଛୁଁ । ସେ ସମସ୍ତରୁ ଏବଂ ସମ୍ମାନିତ ପାଦ୍ରି ବେନ ସାହେବଙ୍କ ପତ୍ରରୁ ଏବଂ ପ୍ରଶଂସିତ ଚୌଧୁରୀଙ୍କ ବଳବତ୍ତର ପ୍ରମାଣରୁ ଆମ୍ଭର ଦୃଢ଼ ବିଶ୍ୱାସ ହୋଇଅଛି ଯେ, ଏ ମକଦ୍ଦମାଘଟିତ କଥା ସମ୍ପୂର୍ଣ୍ଣ ସତ୍ୟ ଅଟେ । ଅତଏବ ଆମ୍ଭେ ଏହି ଆଦେଶ ପ୍ରଚାର କରୁଅଛୁଁ ଯେ, ପ୍ରତିବାଦୀ ଜନମୋହନ ସ୍ୱାଇଁ ପୂର୍ବ ପ୍ରସ୍ତାବମତେ ଶ୍ରୀମତୀ ଲୀଳାବତୀ ରାଉତଙ୍କୁ ବିବାହ କରିବାକୁ ବାଧ୍ୟ । ଯଦି ତାହା ନ କରନ୍ତି, ତାହାହେଲେ ଆଇନ ଅନୁସାରେ ତାଙ୍କର ପ୍ରତିପୋଷଣର ସମସ୍ତ ଭାର ବହନ କରିବେ ଏବଂ ବାଦୀ ବାବୁ ଫିଲିପଚନ୍ଦ୍ର ରାଉତଙ୍କୁ ଏଥିର କ୍ଷତିପୂରଣସ୍ୱରୂପ ପାଞ୍ଚ ଶତ ଟଙ୍କା ପ୍ରଦାନ କରିବେ ଅଥବା ଏ ଉଭୟ ଉଦ୍ଦେଶ୍ୟରେ ଏକକାଳୀନ ୧୫୦୦ ଟଙ୍କା ଆଜି ତାରିଖରୁ ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବେ ।’’

 

ଅଷ୍ଟମ ପରିଚ୍ଛେଦ

ମହାନଦୀ କୂଳ - ମନ୍ତ୍ରଣା

 

ଆଜି ନିଶାବସାନ ନ ହେଉଣୁ ଜନମୋହନ ଆସି ମହାନଦୀର ମନୋହର ପୁଳିନରେ ସମାସୀନ । ଖଣ୍ଡିଏ ଶିଳା ଉପରେ ବସି ମହାନଦୀର ବକ୍ଷ ପ୍ରତି ସ୍ଥିରଦୃଷ୍ଟି ରଖିଅଛନ୍ତି । ଦେଖୁଁ ଦେଖୁଁ ଅସିତ ଆବରଣ ପ୍ରାୟ ନିଶାନ୍ତ ଅନ୍ଧକାର ନଦୀଶଯ୍ୟାରୁ ଅନ୍ତର୍ଦ୍ଧାନ ଭଜିବାକୁ ଲାଗିଲା । ସୁବିଶଦ ବାଲୁକାଶଯ୍ୟାପ୍ରାନ୍ତରେ ସୁନୀଳ ସୁପ୍ରଶାନ୍ତ ମହାନଦୀଜଳ ଦୃଷ୍ଟିଗୋଚର ହେଲା । ଚାହୁଁ ଚାହୁଁ ପ୍ରଭାତର ମନ୍ଦ ସମୀରଣ ପରଶରେ ତାହା ଉପରେ ଲହରୀଲୀଳା ଦେଖା ଦେଲା । ବୀଚି ପରେ ବୀଚିମାନ ଆସି ତଟଦେଶରେ ଶିର ପିଟି ଲୁଚିବାକୁ ଲାଗିଲେ । ଏହି ବୀଚିଲୀଳା ବହୁକ୍ଷଣ ନିରୀକ୍ଷଣ କରି ଜଗମୋହନ ଯେହ୍ନେ ତନ୍ମୟ । ଅନ୍ତର ମଧ୍ୟରେ ଯେହ୍ନେ ସେ ଏହି ଚିତ୍ର ଅବିକଳ ଦେଖି ପାରୁଥିଲେ । ସେ ତରଙ୍ଗାୟିତ ନଦୀବନ୍ଧ, ସେ ପ୍ରଭାତୀ ସମୀରଣ ଏବଂ କୂଜନକାରୀ ପକ୍ଷିଗଣ ଯେହ୍ନେ ତାହାଙ୍କୁ କେତେ କଣ ସଙ୍କେତ କରୁଅଛନ୍ତି ବୁଝି, ଯୁବକ ନାନା ଚିନ୍ତା କରିବାକୁ ଲାଗିଲେ । କିନ୍ତୁ କିଛି ନିର୍ଣ୍ଣୟ ହୋଇ ନ ପାରିବାରୁ ଚିନ୍ତାଭାରରେ ହୃଦୟ ଅବସନ୍ନପ୍ରାୟ । ‘ବିବାହ କରିବି କି ନାହିଁ’ ଏହି ଗୁରୁତର ସମସ୍ୟାରେ ପଡ଼ି ଯୁବକଙ୍କର ଚିତ୍ତ ଆଲୋଡ଼ିତ ହୋଇଗଲା । ପ୍ରଭାତର ଶୀତଳ ଉପଚାରରେ ପ୍ରକୃତିର ମଧୁର ସଙ୍କେତରେ ମନ କିଞ୍ଚିତ୍‌ କୋମଳ ଏବଂ ସ୍ନେହପ୍ରବଣ ହେବାକୁ ଲାଗିବାରୁ ଯୁବକ ବହୁ ଭାବନା ପରେ ସ୍ଥିର କଲେ, ବରଂ ବିବାହ ଶ୍ରେୟଃ । ବିପରୀତମାର୍ଗରେ ଗଲେ ତତୋଽଧିକ କଷ୍ଟ । ଆଉ କଥା ତେଣିକି ଥାଉ, ଏତେ ଅର୍ଥ ବା କାହୁଁ ପାଇବି ? ବିବାହରେ ମୋହର ପ୍ରଭୁତ୍ୱ, ଅନ୍ୟଥା ମୋହର ବନ୍ଧନ ଅବଶ୍ୟମ୍ଭାବୀ । ଏହିପରି ଆଲୋଚନା କରି ଯୁବକ ଏବେ ଚାରିଆଡ଼କୁ ଟିକିଏ ଆଖି ଫେରାଇଲେ । ପଶ୍ଚିମଦିଗରେ ଦେଖିଲେ, ଦୁଇ ଜଣ ବ୍ୟକ୍ତି ରାଜମାର୍ଗରୁ ବନ୍ଧକୁ ଉଠି ତାହାଙ୍କ ଆଡ଼କୁ ଅଗ୍ରସର ହେଉଅଛନ୍ତି । କିଛି ପଥ ଅଗ୍ରସର ହୁଅନ୍ତେ ଯୁବକ ଚିହ୍ନି ପାରିଲେ ଯେ ଜଣେ ତାଙ୍କର ଭାବୀ ଶ୍ୱଶୁର ଫିଲିପ ବାବୁ, ଅନ୍ୟ ଜଣକ ତାଙ୍କର ପରମବନ୍ଧୁ ଯୋଶେଫ ବାବୁ । ନିକଟରେ ଦେଖି ଜନମୋହନ ଶିଷ୍ଟ ବାଳକ ପ୍ରାୟ ଦଣ୍ଡାୟମାନ ହୋଇ ନମସ୍କାର କଲେ । ସରଳପ୍ରାଣ ଫିଲିପ ବାବୁ ଆଜି ଯୁବକଙ୍କ ପୂର୍ବ ଭାବର ପରିବର୍ତ୍ତନ ଦେଖି ମୁଗ୍ଧ ହୋଇଗଲେ । ଯୋଶେଫ ବାବୁ ଯୁବକଙ୍କ ହାତ ଧରି ସସ୍ନେହରେ ପଚାରିଲେ, ‘‘ତୁମ୍ଭେ ଏକାକୀ କି ନିମନ୍ତେ ଏଠାକୁ ଆସିଅଛ ? କେତେକାଳ ହେଲା ଆସିଲଣି ?’’

 

ଯୁ- ଆଜି ରବିବାର ଥିଲା ବୋଲି ଟିକିଏ ଆଗରୁ ଉଠି ଏଠାକୁ ବୁଲିଆସିଥିଲି ।

ଯୋ- ଉତ୍ତମ କଥା, ଏ ସବୁ ସୁନ୍ଦର ଦୃଶ୍ୟମାନ ଦେଖି ମନକୁ ଭୁଲାଇବା ଉଚିତ । ବାବୁ, ମୁଁ ତୁମ୍ଭଙ୍କୁ ଖୋଜୁଥିଲି । ସାହେବ ମୋତେ ଦିନେ ତୁମ୍ଭଙ୍କୁ କୋଠିକି ନେଇଯିବାକୁ କହିଥିଲେ । ଆଜି ଦୁଇ ବନ୍ଧୁ ପ୍ରାତଃକାଳରୁ କବର ଦର୍ଶନ କରି

 

ଫେରୁଥିଲୁଁ । ଗିର୍ଜାଘଣ୍ଟା ବାଜିବା ପୂର୍ବରୁ ଏହିକ୍ଷଣି ସାହେବଙ୍କ କୋଠିକି ଯାଉଅଛୁଁ । ବାଟରେ ତୁମ୍ଭ ସହିତ ଦେଖା ହେଲା, ଭଲ ହେଲା । ବର୍ତ୍ତମାନ ଆମ୍ଭ ସଙ୍ଗରେ ଆସ, ସାହେବଙ୍କ ସହିତ ଦେଖା ହେବ ।

 

ଉପରେ ଆମ୍ଭେମାନେ କହିଅଛୁଁ ଯେ ଯୁବକଙ୍କର ମନ ଆଗରୁ ଏମାନଙ୍କ ଅଭିପ୍ରାୟର ଅନୁକୂଳ ହୋଇଅଛି । ତେଣୁ ଏ ପ୍ରସ୍ତାବରେ ସେ ଆଉ ପ୍ରତିକୂଳ ଭାବ ନ ଦେଖାଇ ବିନା ଆପତ୍ତିରେ ସେ ବେନିଙ୍କ ଅନୁଗମନ କଲେ । ପଥ ମଧ୍ୟରେ ଯୁବକଙ୍କଠାରୁ ନାନା ପ୍ରଶ୍ନର ଆଶାନୁରୂପ ଉତ୍ତର ପାଇ ଦୁଇ ବନ୍ଧୁ ଭାବୀ ସୁଖ ସମ୍ପଦର କେତେ କଳ୍ପନା କରିବାକୁ ଲାଗିଲେ । କିନ୍ତୁ କିଏ ଜାଣେ, ସେ ଯାହା ଭାବେ, ତାହା ଅବଶ୍ୟ ଘଟିବ ? କାଳର କି କୁଟିଳା ଗତି ! ସେ ଏତେ ଲୋକଙ୍କୁ ଘେନି କେତେ ରଙ୍ଗରେ କେତେ କ୍ରୀଡ଼ା କରେ ! ତାହାରି ପ୍ରଭାବରେ ମାନବ ହୃଦୟରେ କେତେବେଳେ କି ଭାବ ! ଏହି କାଳପ୍ରତାରିତ ହୋଇ ପୁଣି କେତେ ତାହାର କରାଳକବଳରେ ପତିତ ହେଉଅଛନ୍ତି ! ଭ୍ରାନ୍ତ ମନୁଷ୍ୟ ତାହା କଳନା କରିବାକୁ ଅକ୍ଷମ ।

 

ନବମ ପରିଚ୍ଛେଦ

ଗିର୍ଜାଘର - ବିବାହ

 

ଆଜି ଗିର୍ଜାଘରେ ଘନ ଘନ ଘଣ୍ଟା ଠନ୍‌ଠନ୍‌ । ଚାରିଆଡ଼ୁ ମୂର୍ତ୍ତିମତୀ ଶାରଦ ଶୁଭ୍ରତା ପ୍ରାୟ ଧାଡ଼ି ଧାଡ଼ି ହୋଇ କେତେ ସ୍ତ୍ରୀ ପୁରୁଷ ମାଡ଼ି ଆସୁଅଛନ୍ତି, କେହି କେହି ବରଣ୍ଡାରେ ଦଣ୍ଡାୟମାନ, କେହି ବା ଫାଟକ ପାଖରେ ଉଭା, କେହି ଛନ୍‌ ଛନ୍‌, କେହି ବି କନ୍‌ କନ୍‌; କାହାର ଶୂନ୍ୟ ମନ - କାହାର ରଣଝଣ୍‌; କେହି ଗମ୍‌ ଗମ୍‌ କେହି ବା ଝମ୍‌ ଝମ୍‌ । ସମସ୍ତଙ୍କର ଏକଆଡ଼କୁ ପ୍ରାୟ ଦୃଷ୍ଟି ପଡ଼ୁଅଛି l କାହାକୁ ଯେହ୍ନେ ସତୃଷ୍ଣନେତ୍ରରେ ପ୍ରତୀକ୍ଷା କରି ରହିଛନ୍ତି । ମଧ୍ୟେ ମଧ୍ୟେ ସେହି ଯୌବନସୁଲଭ ଚପଳତାରେ ଗୋଟିଏ କଣ ଅସମ୍ଭାଳରେ ଦେଖାଦେଇ ପଛେ ପଛେ ଆପଣାର ଭ୍ରମ ବୁଝି ପାରି ଅନ୍ତରରେ ଲଜ୍ଜା ଅନୁଭବ କରିଅଛି । କାହା ହୃଦୟରେ ଉତ୍ସାହ-ଅଗ୍ନିଶିଖା ଦପ୍‌ କରି ଉଠି ପୁଣି ଦବି ଯାଉଅଛି । ଠାବେ ଠାବେ ଜଣେ ଦି ଜଣ ଠିଆ ହୋଇ ତର୍କ ବିତର୍କରେ କଣ ଗୋଟାଏ ଗୋଟାଏ ସିଦ୍ଧାନ୍ତ କରି ପକାଉଛନ୍ତି । ଗୋଟିଏ ରକ୍ତବସ୍ତ୍ର ପରିଧାନ ଦେଖିଲେ ଦୂରରୁ ମହିଷପଲ ଯେପରି ଶୃଙ୍ଗ ମୁଖ ଉତ୍ତୋଳନ କରି ତାହା ଆଡ଼କୁ ଚାହିଁ ରହନ୍ତି, ଠିକ୍‌ ସେହିପରି ଚାହୁଁ ଚାହୁଁ ଗୋଟିଏ ଫିଟିନ ଗାଡ଼ି ଆସି ପହୁଞ୍ଚିଗଲା । ଦୁଇଜଣ ଶ୍ୱେତବସ୍ତ୍ରାବୃତା ରମଣୀ ଆଉ ଜଣେ ଶ୍ମଶ୍ରୁଳ ବୃଦ୍ଧଙ୍କ ମଧ୍ୟରେ, ତାରାପୁଞ୍ଜ ମଧ୍ୟରେ ଆର୍ଦ୍ରାନକ୍ଷତ୍ର ପରି ଅଥବା ପୁଣ୍ଡରୀକ ମଧ୍ୟରେ ମନୋହର କୋକନଦ ପରି ଗୋଟିଏ ରକ୍ତକାଞ୍ଚନ ବସନପରିଧାୟିନୀ ଅବଗୁଣ୍ଠନବତୀ ଶୋଭା ପାଉଥିଲେ । ସେ ପାଟଳ ବସ୍ତ୍ର ଭିତରେ ଧବଳଅଙ୍ଗରକ୍ଷିଣୀ ଉଷାର ରକ୍ତ ମେଘାବରଣ ଭିତରେ ସୂର୍ଯ୍ୟ ଆଲୋକ ପରି ଫୁଟି ଦିଶୁଅଛି । ଯାନଟା ତୋରଣଦ୍ୱାରରେ ରହିଲାକ୍ଷଣି ଧବଳା ମହିଳାମାନେ ଆସି ତାଙ୍କୁ ଘେନି ଗିର୍ଜା ଭିତରକୁ ଚାଲିଗଲେ ଏବଂ ବାମଭାଗର ସମ୍ମୁଖ ଆସନରେ ବସାଇଲେ । ସହଯାତ୍ରୀମାନେ ସେହି ପାଖରେ ପଛକୁ ପଛ ବସିଗଲେ । ପାଠକେ, ଅବଶ୍ୟ ଏହାଙ୍କୁ ଚିହ୍ନି ସାରିବେଣି । ଏମାନେ ଆସିଲାକ୍ଷଣି ଅନେକଙ୍କୁ, ବିଶେଷତଃ ସେହି ଶ୍ମଶ୍ରୁଳଙ୍କୁ ବଡ଼ ଉଦ୍‌ବିଗ୍ନ ଥିବାର ଦେଖାଗଲା । ବର ପକ୍ଷର ଆଗେ ଉପସ୍ଥିତ ହେବାର ବିଧି । ଆଜି ଏତେବେଳଯାଏ ବରର ଦେଖାନାହିଁ । ଏ ପୁଣି କି ଦୁର୍ଘଟନା ! ତେଣୁ ଆମ୍ଭମାନଙ୍କର ସଭାପତି ରେଭରଣ୍ଡ ବେନ୍‌ସାହେବ ବଡ଼ ଚିନ୍ତାକୁଳ । କ୍ଷଣେ ଭିତରେ କ୍ଷଣେ ବାହାରେ, ଶେଷରେ ପୁଣି ବରଣ୍ଡାର ଏକପ୍ରାନ୍ତକୁ ଆସି କପିଳ ଚକ୍ଷୁଯୁଗଳରୁ ଦୂରପ୍ରସାରିତ ଦୃଷ୍ଟିରେଖା ଦକ୍ଷିଣଦିଗର ପଥ ଉପରେ ପାତିତ କଲେ । ଲୋକେ ନାନାପ୍ରକାର ତର୍କଣା କରିବାକୁ ଲାଗିଲେ । କେହି କହିଲେ, ସେ ଦିନ ସାହେବଙ୍କ ନିକଟରେ ସତ୍ୟପ୍ରତିଜ୍ଞା କରି ଆସିଥିଲା ପରା ! କେହି କହିଲେ, ଆଜିକାଲିକା ଯୁବକଙ୍କୁ ବିଶ୍ୱାସ ନାହିଁ । କେହି ପ୍ରକାଶ କଲେ, ନ ବୁଝି ନ ଶୁଣି ଏପରି ଲୋକଙ୍କୁ ଏତେ ପ୍ରେମ କରିବା ଉଚିତ ହେଲା ନାହିଁ । କେହି କହିବାକୁ ଲାଗିଲେ, ଆହା ! ବେନି ମାମା ତାକୁ ପୁତ୍ରଠାରୁ ବଳି ସ୍ନେହ କରନ୍ତି । ସେଥିରେ ପୁଣି ଏପରି କପଟ ଆଚରଣ କଲା ! ସମବେତ ଲୋକଙ୍କର ଇତ୍ୟାଦିପ୍ରକାର ନାନା ଭାବନା, ସାହେବଙ୍କର ଚିରପ୍ରସାରିତ ଦୃଷ୍ଟି ଏବଂ କନ୍ୟାପକ୍ଷର ଗଭୀର ଚିନ୍ତା ଓ ଉଦ୍‌ବେଗର ଶେଷଭାଗରେ ହଠାତ୍‌ ଗୋଟିଏ ଗାଡ଼ି ଦେଖା ଦେଲା । ଏଥିରେ ନିଶ୍ଚୟ ବର ଥିବ ଜାଣି ପାରି ସେଥି ମଧ୍ୟରୁ କେତେକ ଗିର୍ଜା ଭିତରେ ପ୍ରବେଶ କଲେ । ଦେଖୁଁ ଦେଖୁଁ ସାକ୍ଷାତ୍‌ ମାତୃରୂପିଣୀ ବେନ୍‌ ମେମ ସାହେବ ବରବେଶୀ ମୋହନଙ୍କୁ ଘେନି ଫାଟକ ନିକଟରେ ଉପସ୍ଥିତ ହୁଅନ୍ତେ, ସାହେବ ପ୍ରସନ୍ନ ମନରେ ହାତ ଧରି ଭିତରକୁ ନେଇ ଦକ୍ଷିଣପାର୍ଶ୍ୱର ନିର୍ଦିଷ୍ଟ ଆସନରେ କନ୍ୟା ସମ୍ମୁଖରେ ଉପବେଶନ କରାଇଲେ । ଜନମୋହନର ମୁଖ ଆଜି ଘୋର ଘୃଣା ଓ ପ୍ରତିହିଂସାରେ ଭ୍ରୂକୁଟି କୁଟିଳ । ସମବେତ ସ୍ତ୍ରୀ ପୁରୁଷ ସ୍ୱ ସ୍ୱ ଆସନରେ ଉପବେଶନ କରନ୍ତେ, ସଭାପତି ରେଭରେଣ୍ଡ ବେନ୍‌ ସାହେବ ଆସନରୁ ଉଠି ଲୀଳାବତୀ ଏବଂ ଜନମୋହନଙ୍କର ଶୁଭବିବାହର ବାର୍ତ୍ତା ଗୋଟିଏ କ୍ଷୁଦ୍ର ବକ୍ତୃତାରେ ଘୋଷଣା କଲେ । ସାହେବ ଆସନ ଗ୍ରହଣ କରନ୍ତେ, ଯନ୍ତ୍ରଚାଳିତ ପ୍ରାୟ ପୁରୋହିତ ରେଭରେଣ୍ଡ ଆଲବର୍ଟ ବକ୍ଲି ସାହେବ ଗାତ୍ରୋତ୍ଥାନ କରି ବରକୁ ସମ୍ବୋଧନ କରି କହିଲେ, ଦେଖ ଜନମୋହନ ! ଆଜି ଶ୍ରୀମତୀ ଲୀଳାବତୀ ସାହୁଙ୍କ ସହିତ ତୁମ୍ଭର ବିବାହ ହେବ । ଏହା ଅବଶ୍ୟ ତୁମ୍ଭେ ପୂର୍ବରୁ ଜାଣିଅଛ । ଆଜି ଏ ସରଳା ବାଳିକା ସର୍ବସମକ୍ଷରେ ତୁମ୍ଭରି ହସ୍ତରେ ସମର୍ପିତା । ତୁମ୍ଭେ ହିଁ ଏହାଙ୍କର ସୁଖ ଦୁଃଖରେ ସହାୟ ହେବ । ତାହାହେଲେ ପ୍ରଭୁ ଯୀଶୁ ତୁମ୍ଭଙ୍କୁ ସହାୟ ହେବେ । ଅଭିଭାଷଣ ସାଙ୍ଗ ହେଲା, କିନ୍ତୁ ଜନମୋହନ ନୀରବଭାବରେ ତଥାବସ୍ଥିତ । ତହୁଁ ସାହେବ ମୁହଁ ଫେରାଇ କନ୍ୟାକୁ ଆହ୍ୱାନ କରି ସେହିପରି କହିଲେ । କନ୍ୟାର ଭକ୍ତିଭରେ ଉପଦେଶ ଶ୍ରବଣ ଓ ସମ୍ମତିଦାନ ଜାଣି ସାହେବ ପରସ୍ପରକୁ ସୁନାମୁଦି ପିନ୍ଧାଇ ଦେବାକୁ ଆଦେଶ ଦେଲେ । ପୃଷ୍ଠଦେଶରୁ ମେମ ସାହେବଙ୍କ ପ୍ରବର୍ତ୍ତନାରେ ଜନମୋହନ ଲିଲିର ଏବଂ ଲୀଳାବତୀ ମୋହନର କରାଙ୍ଗୁଳିରେ ମୁଦ୍ରିକା ପିନ୍ଧାଇଦେଲେ । ଅନନ୍ତର ବଡ଼ ସାହେବ ଗୋଟାଏ ମୋଟା କାଗଜରେ ବର କନ୍ୟାଙ୍କର ସ୍ୱାକ୍ଷର ଏବଂ ପଛେ ପଛେ ଉଭୟ ପକ୍ଷର ସାକ୍ଷୀ କେତେଜଣ ପ୍ରସିଦ୍ଧ ଖ୍ରୀଷ୍ଟଭକ୍ତଙ୍କର ସ୍ୱାକ୍ଷର କରାଇ ନେଲେ ।

 

ହେ ଖ୍ରୀଷ୍ଟଶିଷ୍ୟଗଣ ! ତୁମ୍ଭମାନଙ୍କର ଏ ସ୍ୱାକ୍ଷରକରଣରେ କି ଫଳ ଅଛି ? ତୁମ୍ଭେ ଶତ ସ୍ୱାକ୍ଷର କର ବା ନାମ ରେଜିଷ୍ଟରୀ କର ଅଥବା ଯେତେ ଯାହାଙ୍କୁ ସାକ୍ଷୀ ରଖ, ହୃଦୟରୁ ବଳି ବଡ଼ ସାକ୍ଷୀ କେହି ନାହିଁ l ହିନ୍ଦୁ ଅଗ୍ନି କି ସାକ୍ଷୀ କରି ବା ଧର୍ମକୁ ସାକ୍ଷୀ ରଖି ଯେ ଅପରିହାର୍ଯ୍ୟ ବିଶ୍ୱାସ ଲାଭ କରେ, ତାହା ତୁମ୍ଭର ଏ ପଦ୍ଧତିରେ କେତେଦୂର ଅଛି ? ତୁମ୍ଭେ ମୋହନର ହୃଦୟ ପରୀକ୍ଷା କରିଅଛ ? ବାହାରେ ଯେତେ ବିଧିବିଧାନ ବା ବ୍ୟବସ୍ଥା କର, ତଦ୍ଦ୍ୱାରା ଭିତରର ବନ୍ଧନ ଦୃଢ଼ ହେବ ନାହିଁ । ଅନ୍ତରର କ୍ରିୟାକୁ ବାହାରର ଶାସନରେ ଆୟତ୍ତ ରଖିବା ସମ୍ଭବ କି ? ବରଂ ଏହାଦ୍ୱାରା ସମୟରେ ସତ୍ୟର ଅପଳାପ ହେବ । ଗୁରୁଜନମାନଙ୍କର ଅବମାନନା ଏବଂ ଧର୍ମଧ୍ୱଜିମାନଙ୍କର ପରାଭବ ମଧ୍ୟ ହୋଇ ପାରେ । ଉଭୟର ହୃଦୟକୁ ସାକ୍ଷୀ କରି ତାହା ଉପରେ ଏ ଭାର ପ୍ରଦାନ କରିବା ଆହୁରି ନିରାପଦ ଏବଂ ଶୋଭନୀୟ ନୁହେଁ କି ? ଧର୍ମରେ ଅଧର୍ମର ଆଶଙ୍କା କରି ଏପରି ଲୋକଭୁଲାଣିଆ ଛଳନା କାହିଁକି ?

 

ଏହି ଶୁଭକର୍ମ ନିଷ୍ପନ୍ନ ହୁଅନ୍ତେ କେତୋଟି ବାଳିକା ଦଣ୍ଡାୟମାନା ହୋଇ ଏହି ବିବାହମଙ୍ଗଳସଙ୍ଗୀତ ସମସ୍ୱରରେ ଗାନ କଲେ, ମଧ୍ୟେ ମଧ୍ୟେ ଅନ୍ୟ ମହିଳାମାନେ ମଧ୍ୟ ସ୍ୱର ମିଶାଇ ଦେଉଥିଲେ ।

 

କୃପାନିର୍ଝରଠାରୁ । ବର କନ୍ୟାଙ୍କୁ କରୁଣା ସଦା ଆବରୁ ।

ମୃତ୍ୟୁ ବିନା ଏ ବେନିଙ୍କୁ କେ ଭିନ୍ନ ନ କରୁ ।

ଯେଉଁ ପ୍ରଭୁ ସ୍ଥାପିଛନ୍ତି ଏହି ନିୟମ,

ତାଙ୍କ ଆଶୀର୍ବାଦଦୃଷ୍ଟି ହେଉ ଉପରୁ ।୧ ।

କନ୍ୟା ବିବାହରେ ଯେ ଥିଲେ ନିମନ୍ତ୍ରିତ,

ତାହାଙ୍କ ପ୍ରସନ୍ନଦୃଷ୍ଟି ହେଉ ଊର୍ଦ୍ଧ୍ୱରୁ ।୨ ।

ଆଉ ଶାନ୍ତି ଦାତା ଧର୍ମ-ଆତ୍ମାଙ୍କଠାରୁ

ଶାନ୍ତି ଆନନ୍ଦ ଓହ୍ଲାଇ ବେଷ୍ଟନ କରୁ ।୩ ।

ଏ ଦୁଇ ପ୍ରତି କଲ୍ୟାଣ ହେଉ ଉପରୁ,

ଯେଣେ ଗଲେ ତେଣେ ତାଙ୍କ କରୁଣା ଘେରୁ ।୪ ।

ଏକାପ୍ରେମେ ଏକବାରେ ମନହିଁ ମିଳୁ,

ମୃତ୍ୟୁ ବିନା କେବେ କେହି ଭିନ୍ନ ନକରୁ ।୫ ।

 

ପରିଶେଷରେ ସଭାପତି ଜାନୁପାତପୂର୍ବକ ଗଦ୍ଗଦକଣ୍ଠରେ ପ୍ରାର୍ଥନା କଲେ ଏବଂ ଉଭା ହୋଇ ଏହି ଅଭିଭାଷଣ କଲେ- ‘‘ଆଜି ପ୍ରିୟତମ ଶ୍ରୀମାନ୍‌ଜନମୋହନ ଏବଂ ଶ୍ରୀମତୀ ଲୀଳାବତୀଙ୍କର ଶୁଭବିବାହବନ୍ଧନ ହୋଇଗଲା । ପ୍ରଭୁ ଯୀଶୁ ଏମାନଙ୍କୁ ଆଶୀର୍ବାଦ କରିବେ ଆଉ ଏମାନଙ୍କ କଣ୍ଟକମୟ ଜୀବନମାର୍ଗରେ ସହାୟ ହୁଅନ୍ତୁ । ଆଜିଠାରୁ ଲୀଳାବତୀଙ୍କ ନାମ ଶେଷରେ ରାଉତ ବଦଳରେ ସ୍ୱାଇନ୍‌ ବସିବ ଏବଂ ଆଜହୁଁ ଏ ଦୁହେଁ ପ୍ରଭୁ ଯୀଶୁଙ୍କର ପୁତ୍ର କନ୍ୟା ହେଲେ । ଆଜି ଏ ଦୁହେଁ ସମସ୍ତଙ୍କ ଆଗରେ ଶପଥ କଲେ ଯେ, କେହି ଜ୍ଞାତସାରରେ କାହାରି ଅନିଷ୍ଟ କରିବେ ନାହିଁ । ଏମାନେ ଗୃହଧର୍ମ ପାଳନ କରି ପରସ୍ପରଙ୍କ ସେବା କରିଲେ ପ୍ରଭୁ ତାଙ୍କର ମଙ୍ଗଳ କରିବେ ।’’ *ସାହେବ ବକ୍ତୃତାରୁ ନିବୃତ୍ତ ହୁଅନ୍ତେ ପୁନର୍ବାର ସଙ୍ଗୀତ-ଉଚ୍ଛ୍ୱାସ ଉଠିଲା । ଶେଷରେ ବର-କନ୍ୟା ଦୁହେଁ ଏକ ଯାନରେ ବସି ନଗର ଭ୍ରମଣ କରି କନ୍ୟା ଗୃହକୁ ପ୍ରସ୍ଥାନ କଲେ ।

 

*ଚତୁର ପାଠକମାନେ- ସାହେବଙ୍କ ଉଚ୍ଚାରଣରେ ତ ବର୍ଗ ସ୍ଥାନରେ ଟ ବର୍ଗ ଥିଲା ବୁଝିନେବେ ।

 

ଦଶମ ପରିଚ୍ଛେଦ

ପ୍ରବାସ

 

ଗଞ୍ଜାମ ଜିଲ୍ଲାରେ ପାର୍ବତୀପୁର ଗୋଟିଏ ଦର୍ଶନୀୟ ସ୍ଥାନ । ନାନା ଜାତି ଏବଂ ନାନା ବ୍ୟବସାୟୀ ଲୋକଙ୍କର ଏଠାରେ ଏକତ୍ର ବାସ ଅଛି । ସାହେବଙ୍କ କୃପାରୁ ଜନମୋହନ ଖଣ୍ତିଏ ପୁଲିସ ଦାରୋଗା କାମ ପାଇ ଏଠାକୁ ଆସିଅଛନ୍ତି । ବର୍ତ୍ତମାନ ସେ ବିବିଜାନର ଭାଷାରେ ବଗୁଲିଆ ଟୋକା ନୁହନ୍ତି - ଜଣେ ହୁକୁମଦିଆ ହାକିମ । ଏକେ ତ ସେ କାମଟାରେ ପଶିଗଲେ ଭଲ ଲୋକର ମିଞ୍ଜାସ କଡ଼ା ହୋଇଥାଏ । ମୋହନର ତ ଆହୁରି କଡ଼ା ହେବାର କଥା । ତହିଁରେ ପୁଣି ମନର ସ୍ଥିରତା ନାହିଁ - ସର୍ବଦା ଉଦାସୀନ ଭାବ । କାର୍ଯ୍ୟବେଳେ କଣ, କଥାବାର୍ତ୍ତା ବେଳେ କଣ, ଅନାସକ୍ତ ଭାବ ଫୁଟି ଜଣା ପଡ଼ୁଥାଏ । ମନଭିତରେ ବନରେ ଦନ୍ତାବଳ ପ୍ରାୟ କିଏ ଗୋଟାଏ ଯେହ୍ନେ ପଶି ସବୁ ମନ୍ଥି ପକାଉଅଛି । କ୍ରମେ ବୁଦ୍ଧି ବିନୟ ସୌଜନ୍ୟ ବାଧ୍ୟତାଦି ବୃତ୍ତି ପରାଜୟ ଭଜୁଅଛି । ସର୍ବୋପରି ପ୍ରତିହିଂସା ମହାବିକ୍ରମରେ ଜୟଭେରୀ ବଜାଇ ଉଠୁଅଛି । ଜନମୋହନ ବର୍ତ୍ତମାନ ସେହି ପ୍ରତିହିଂସାନାମଧାରିଣୀ ଭୈରବୀଙ୍କୁ ଆରାଧନା କରିବାକୁ ବସିଲେଣି । ବେଳେ ବେଳେ ତାହାଙ୍କୁ ଧ୍ୟାନରେ ଜଣାଉଅଛନ୍ତି । ‘ଦେବ ପ୍ରତିହିଂସେ ! ତୁମ୍ଭ ବିନା ଏବେ ମୋହର ଅନ୍ୟ ଆଶ୍ରୟ ନାହିଁ । ତୁମ୍ଭେ ସର୍ବବୀରେନ୍ଦ୍ରବନ୍ଦିତା, ନାଗ–ନର–ରକ୍ଷ-ବାନରସେବିତା, ଆର୍ଯ୍ୟ-ଅନାର୍ଯ୍ୟ-ରଜସ୍ୱି-ତେଜସ୍ୱି-ପୂଜିତା । ତୁମ୍ଭଙ୍କୁ ଯେ ସାମାନ୍ୟ ମନେ କରେ, ସେ ନରାଧମ । ତୁମ୍ଭେ ତ୍ରେତାଯୁଗରେ ରାମଚନ୍ଦ୍ରଙ୍କର ସହାୟଭୂତା ହେବାରୁ ରାବଣବଧ ସାଧିତ ହେଲା । ଦ୍ୱାପରରେ ଶକୁନି ତୁମ୍ଭଙ୍କୁ ଆଶ୍ରୟ କରି କୌରବବଂଶର ଧ୍ୱଂସସାଧନଦ୍ୱାରା ଅଭୀଷ୍ଟ ସିଦ୍ଧି ଲାଭ କରିଥିଲା - ଯୁଗେ ଯୁଗେ ଦେଶେ ଦେଶେ ତୁମ୍ଭେ ବୀରପୁରୁଷ ହୃଦୟରେ ବାସ କରି ବିଜୟଲକ୍ଷ୍ମୀ ପ୍ରଦାନ କରିଅଛ । ସାମାନ୍ୟ ବାନରଯୂଥପତି ତୁମ୍ଭରି ଯୋଗେ ସର୍ବସହାୟସମ୍ପନ୍ନ ନରପତିଙ୍କି ନିର୍ବଂଶ କରାଇ ଦାଣ୍ତର ଭିଖାରୀ କରିଥିଲା । ବର୍ତ୍ତମାନ ମୁଁ ତୁମ୍ଭଠାରେ ଶରଣ ପଶୁଅଛି । ତୁମ୍ଭରି ବଳରେ ଏ ସଙ୍କଟରୁ ପାରି ହୋଇ ଇଷ୍ଟଫଳ ଲାଭ କରିବି । ପ୍ରାୟ ୩ ବର୍ଷ ହେଲା କଟକ ଛାଡ଼ିଲିଣି । ଗୃହିଣୀର କୌଣସି ସମ୍ୱାଦ ନାହିଁ । ପାଠକଗଣ ! ବର୍ତ୍ତମାନ କଟକ ପିଟନ ସାହିକୁ ଆସି ସେଠା ଖବର ଅନ୍ତର ବୁଝିଯାନ୍ତୁ । ଏଥି ମଧ୍ୟରେ ଗୋଟିଏ ପୁତ୍ର ମଧ୍ୟ ହୋଇଅଛି । ଜ୍ୟେଷ୍ଠ ଜନଚନ୍ଦ୍ର ବର୍ଣ୍ଣ ଶିକ୍ଷା ଆରମ୍ଭ କଲାଣି । ନବଜାତ ଶିଶୁଟିର ନାମ ଫିଲିପ ବାବୁ ଜନ୍‌ ସାମସେନଚନ୍ଦ୍ର ଦେଇଅଛନ୍ତି । ନବ ପୁତ୍ର ହେବା ପରେ ଯେତେ ପତ୍ରଦେଲେ ସୁଦ୍ଧା ପ୍ରବାସୀ ପିତାଙ୍କଠାରୁ କୌଣସି ଉତ୍ତର ନାହିଁ । ଫିଲିପ ବାବୁଙ୍କ କୁଟୁମ୍ୱ ଏବଂ ଖ୍ରୀଷ୍ଟମଣ୍ତଳୀ ମଧ୍ୟରେ ମହାଚିନ୍ତାର ଚହଳ ପଡ଼ିଗଲା । ଲିଲିର ପାଣ୍ତୁର ଗଣ୍ତ ଅମଣ୍ତନ ରହିଲା । କଣ ପ୍ରତୀକାର କରିବାକୁ ହେବ, ଆଗାମୀ ବୈଠକରେ ଠିକ କରିବାର କଥା ହେଲା; ମାତ୍ର ବୈଠକଯାଏ କଥା ଗଲା ନାହିଁ । ହଠାତ୍ ଦିନେ ଜନମୋହନ ବାବୁ ପିଟନସାହିରେ ଉପସ୍ଥିତ ହେଲେ । ସତେ ଅବା ଲିଲିର କପାଳ ଫିଟିଲା । ସେହି ଦିନ ରାତିରେ ପୁତ୍ରକଳତ୍ର ସମଭିବ୍ୟାହାରରେ ଆମ୍ଭର ଦାରୋଗା ବାବୁ ପାର୍ବତୀପୁର ଅଭିମୁଖରେ ଯାତ୍ରା କଲେ । ଏବେ ପ୍ରବାସରେ ଲିଲିର ସ୍ୱାମିସହବାସରେ ହର୍ଷ କି ବିଷାଦ, ତାହା ଚତୁର ପାଠକମାନେ ବିଚାର କରିବେ-। ପାଖରେ ଦୁଃଖ ସୁଖ ପଦେ ହେବାକୁ ସୁଦ୍ଧା ଜଣେ କେହି ନାହିଁ । ଏକମାତ୍ର ଯେ ସକଳ ଦୁଃଖ ଦୂର କରି ପାରନ୍ତେ, ତାଙ୍କର ମତି ଗତି ଭିନ୍ନପ୍ରକାର । ସେ ଦେଖି ସୁଦ୍ଧା ଦେଖୁ ନାହାନ୍ତି କି ଶୁଣିଲେ ସୁଦ୍ଧା ଶୁଣୁ ନାହାଁନ୍ତି । ସର୍ବଦା ତାଙ୍କର ଦୂରରେ ଅବସ୍ଥାନ - ନିତି ନିତି ଆତ୍ମଗୋପନ - ପ୍ରତ୍ୟହ ରକ୍ତଚକ୍ଷୁ ଏବଂ ଅଳ୍ପ ଅଳ୍ପ କଥା ! ଏ କଣ ଦାରୋଗାଗିରିର ଲକ୍ଷଣ, ନା ଆଉ କିଛି ? ଦାରୋଗା ହେଲେ କଣ ପୁତ୍ରସ୍ନେହ ସୁଦ୍ଧା ଲୋକ ଭୁଲିଯାଏ । ଏ କି ପରିବର୍ତ୍ତନ ! ତେଣୁ ଗୃହିଣୀ ଅନୁକ୍ଷଣ ଶଙ୍କିତା । ତଥାପି ଜଡ଼-ଯନ୍ତ୍ର ପରି ନୀରବଭାବରେ ପତିସେବାରତା ।

 

ଲିଲି ! ତୁମ୍ଭେ ଆଉ କି ଚିନ୍ତା କରୁଅଛ ? ତୁମ୍ଭର ପ୍ରିୟତମଙ୍କର ମନ ପରା ଧରି ପାରୁନାହଁ-? ତୁମ୍ଭର ଭବିଷ୍ୟତ୍‌ ବିଷମ ସମସ୍ୟାମୟ । ତୁମ୍ଭ ମସ୍ତକ ଉପରେ ଏବେ ବିଷଧର ଫଣୀ ଗର୍ଜନ କରୁଅଛି । ତାହାର ଔଷଧ କାହିଁ ଯାଇଁ ସୁଦୂର ହିମାଳୟଶିଖରରେ । ତୁମ୍ଭେ ଚନ୍ଦନଭ୍ରମରେ ଗୋଟିଏ ବିଷଦ୍ରୁମ ଆଶ୍ରୟ କରିଅଛ ! ପୁଷ୍ପମାଳା ଭ୍ରମରେ ସର୍ପକୁ ଗଳାରେ ଲମ୍ବାଇ ଅଛ । ମର୍କଟ ହସ୍ତରେ ବହୁମୂଲ୍ୟ ମଣି । ହା ଋଜୁବିଶ୍ୱାସିନି ! କି ବିଶ୍ୱାସରେ କାହା ହସ୍ତରେ ହଠାତ୍‌ ଆତ୍ମସମର୍ପଣ କଲ ? ହା ଅପରିଣାମଦର୍ଶିନି ! ପରିଣାମ ନ ଭାବି ଆପାତମଧୁର ପଦାର୍ଥରେ ହଠାତ୍‌ ଭୁଲିଗଲ ! ସେ ଦୁଃସାହସର ବିଷମୟ ଫଳ ଅବଶ୍ୟ ଦିନେ ଫଳିବ ! ତୁମ୍ଭେ ଜାଣିଛ କି ବର୍ତ୍ତମାନ ସ୍ୱାମୀ ଭ୍ରମରେ ଗୋଟିଏ ରାକ୍ଷସର ହସ୍ତଗତା ? ଏ କୁଟିଳ ସଂସାରରେ ତୁମ୍ଭର ଦର୍ଶିତ ସରଳତାର ଯଥାର୍ଥ ବିଚାର ହେବ ନାହିଁ । ତାହାର ବିଚାର ଦୟାମୟ ପ୍ରଭୁ ପରମେଶ୍ୱରଙ୍କ ହସ୍ତରେ - ତାଙ୍କରି ଆଶ୍ରୟ ଭିନ୍ନ ଆଉ ତୁମ୍ଭର ରକ୍ଷା ନାହିଁ ।

 

ଦୁଇ ତିନି ଦିନ ହେଲା ଦାରୋଗା ବାବୁ ମଫସଲ ଗସ୍ତରେ ବାହାରି ଯାଇଥିବାରୁ ଆଜି ଘରେ ଶାନ୍ତି ବିରାଜ କରୁଅଛି । ଗୃହିଣୀ ଏକାକିନୀ ବସି ଆପଣାର କଥା ଭାବୁଅଛନ୍ତି- ଏମନ୍ତ ସମୟରେ ଡାକବାଲା ଡାକ ଆଣି ଖଣ୍ଡିଏ ଘରୋଇ ଚିଠି ଦେଇ ଗଲା । ସମୟ ଏବଂ ସୁଯୋଗ ପାଇ ଲିଲି ପତ୍ରଖଣ୍ଡିକର ଆବରଣ ପୁନଃ ପୁନଃ ନିରୀକ୍ଷଣ କରି ଦେଖିଲେ ଯେ, ତାହା କୌଣସି ଆତ୍ମୀୟ ସ୍ୱଜନଙ୍କର ଲେଖା ନୁହେଁ । ଅପରିଚିତ ବ୍ୟକ୍ତିର ଅକ୍ଷର, ବିଶେଷତଃ କୌଣସି ସ୍ତ୍ରୀ ହାତର ଲେଖା ପରି ଜଣା ପଡ଼ିବାରୁ ମନରେ ସନ୍ଦେହ ହେଲା । କ୍ଷଣକାଳ ଏଣେତେଣେ ହୋଇ ଶେଷରେ ଏକ ସାହସରେ ଫିଟାଇ ଦେଖିଲେ ଯେ- ପତ୍ରର ଶୀର୍ଷଦେଶରେ ଗୋଟିଏ ଶୁକମୁଖରେ ଦୁଇଟି ପଂକ୍ତି ପଦ୍ୟରେ ଲେଖା ଅଛି ।

 

‘‘ଉଡ଼ିଯା ରେ ଶୁକବର ଭେଟିବୁ ବନ୍ଧୁଙ୍କୁ,

ପ୍ରତ୍ୟୁତ୍ତରେ ଫୁଲାଇବୁ ମୋ ପ୍ରେମସିନ୍ଧୁକୁ ।’’

 

ଏହାକୁ ପଢ଼ି ସନ୍ଦେହ ବଢ଼ନ୍ତେ ଲିଲି ସମସ୍ତ ପତ୍ରଟି ଜଗି ଜଗି ପଢ଼ି ଚମକିପଡ଼ିଲେ ଏବଂ ଦେଖିଲେ ‘‘ଭିଦ୍ୟତେ ହୃଦୟଗ୍ରନ୍ଥିଶ୍ଛିଦ୍ୟନ୍ତେ ସର୍ବସଂଶୟାଃ ।’’ ପତ୍ନୀ ପତ୍ରଖଣ୍ଡିକ ଅତି ଯତ୍ନରେ ଗୋପନରେ ରଖି ପତିଙ୍କର ଆଗମନ ପ୍ରତୀକ୍ଷା କରି ରହିଲେ । ପତ୍ରଟା ଶୁଣିବାପାଇଁ ଅନେକ ପାଠକ ବଡ଼ ବ୍ୟଗ୍ର ହେବେଣି - ଆପାତତଃ ସେମାନଙ୍କ ଉତ୍କଣ୍ଠା ନିବାରଣପାଇଁ ତାହା ଏଠାରେ ପଢ଼ି ଶୁଣାଇ ଦେଉଅଛୁଁ ।

 

ମୋହର ପ୍ରିୟ ବନ୍ଧୁ,

ପ୍ରଭୁଙ୍କର ନାମ ସ୍ମରଣ କରି ଲେଖୁଅଛି । ତୁମ୍ଭର ସବୁ ପତ୍ର ପାଇ ବଡ଼ ସୁଖିନୀ ଅଛି । ଦୂରତା ହେତୁରୁ ମୁଁ ତୁମ୍ଭଙ୍କୁ ମନର କଥାମାନ ଜଣାଇ ପାରୁ ନାହିଁ । ତୁମ୍ଭେ ମୋତେ ଏତେ ସନ୍ଦେହ କରୁଛ, କିନ୍ତୁ ମୁଁ ତୁମ୍ଭଙ୍କୁ ଯେମନ୍ତ ପ୍ରେମ କରେଁ, ତାହା ଏଥିରେ ଲେଖି କିସ ହେବ ? ତୁମ୍ଭର ଯେପରି ବିଘ୍ନ ଅଛି, ସେଥିରେ ତୁମ୍ଭେ କିଛି କରି ପାରିବ ନାହିଁ । ମୁଁ ଜାଣୁଅଛି, ତୁମ୍ଭେ ବାଧ୍ୟରେ ପଡ଼ି ଯାଇଅଛ । ବର୍ତ୍ତମାନ ତୁମ୍ଭର ଭିନ୍ନ ହେବାର ଉପାୟ ନାହିଁ । ସେ ଯାହାହେଉ, ଏ ଅଧୀନା ସେହିପରି ପ୍ରେମ ରଖିଅଛି । ନିର୍ଦୟ ହେବ ନାହିଁ ।

 

ମୁଁ ତୁମ୍ଭର ପ୍ରେମାଧୀନା

 

ଶ୍ରୀମତୀ-

 

ପ୍ରିୟ ପାଠକେ ! ପତ୍ର ଖଣ୍ତି କେଉଁଠାରୁ ଆସିଲା, ଏଥିରୁ ଜଣା ପଡ଼ୁନାହିଁ । ଉପରେ ଡାକ ମୋହର ଦେଖି ଜଣାଗଲା, ତାହା ବାଲେଶ୍ୱର ଜିଲ୍ଲାର କୌଣସି ପ୍ରସିଦ୍ଧ ସ୍ଥାନରୁ ଆସିଅଛି ।

 

ଏକାଦଶ ପରିଚ୍ଛେଦ

ସିଦ୍ଧାନ୍ତ

 

‘ଅହୋ ! ସଂସାର କି ବିଷମ ! କି ଘୋର ଜଞ୍ଜାଳମୟ ! କାଳର କି କୁଟିଳ ଗତି ! ପ୍ରେମର କି ଅଦ୍ଭୁତ ପରିଣାମ ! ଆଶାର କି ଅପୂର୍ବ କୁହକ ! ସମାଜର କି ଅଭେଦ୍ୟ କପଟତା ! ଦୈବର କି ଭୀଷଣ ପ୍ରତିବନ୍ଧକ ! ଯେ ଯାହା ଚାହେଁ, ତାହା ପାଏ ନାହିଁ । ସଂସାରରେ ସବୁ ଦୈବାଧୀନ ବୋଲି କହିଥାନ୍ତି । ଦେଖାଯାଉ ମୋହର ମନର ଗତି କିଏ ରୋଧିବ ? ଦୈବକୁ ଅପେକ୍ଷା କରିବା କାପୁରୂଷର କର୍ମ । ଆଉ କାଳ ବିଳମ୍ୱ କରିବି ନାହିଁ । ପ୍ରତିହିଂସାର ଏ ଉପଯୁକ୍ତ ସମୟ । ରହସ୍ୟ ପ୍ରକାଶ ପାଇ ନ ଥିବାରୁ ଏତେଦିନଯାଏ ଭାବନାରେ କାଳକ୍ଷେପଣ କରୁଥିଲି । ଏଣିକି କାର୍ଯ୍ୟନାଶର ସମ୍ଭାବନା । ସୁତରାଂ ଶୁଭସ୍ୟ ଶୀଘ୍ରଂ’ ବିଧି ମାନି ପ୍ରତିଜ୍ଞା ପାଳନ କରିବାକୁ ହେବ ।’ ଏହିପରି ନାନା କଥା ଭାବି ଜନମୋହନ ବାବୁ ଏକ ସିଦ୍ଧାନ୍ତରେ ଆସି ଉପସ୍ଥିତ ହେଲେ । କାର୍ଯ୍ୟର ଅନୁଷ୍ଠାନ ପୂର୍ବେ ତାଙ୍କ କଥାରେ ପତ୍ନୀଙ୍କ ବିଶ୍ୱାସ ଜନ୍ମିବା ଏକାନ୍ତ ଆବଶ୍ୟକ । ପାଠକେ ! ଏତେଦିନେ ପ୍ରାଣପତି ବିବାହିତା ପତ୍ନୀଙ୍କର ଚିତ୍ତରଞ୍ଜନ କରିବାକୁ ମନଃସ୍ଥ କରୁଅଛନ୍ତି !

 

ପତିଙ୍କ ମନୋଭାବର ପରିବର୍ତ୍ତନ ଦେଖି ସରଳା ଲୀଳାବତୀ ସନ୍ଦେହର ଯଥେଷ୍ଟ କାରଣ ସତ୍ତ୍ୱେ ଅନ୍ତରରେ ଆନନ୍ଦ ଅନୁଭବ କରିବାକୁ ଲାଗିଲେ । ଆନନ୍ଦର ମାତ୍ରା ଯେତିକି ବଢ଼ିବାକୁ ଲାଗିଲା, ତେତିକି ସେ ସଂଶୟ ବା ଅବିଶ୍ୱାସ ମହାସିନ୍ଧୁରେ ପୋତବତ୍‌ ନିମଗ୍ନ ହେବାକୁ ଲାଗିଲେ । ପୋତ ମଗ୍ନ ହେଲେ ପୋତଯାତ୍ରୀର ପରିଣାମ ଯାହା ହୋଇଥାଏ, ଏଠାରେ ଲିଲିଙ୍କର ତାହାହିଁ ହେବା ଧ୍ରୁବ । ସେ ପତିଙ୍କର ଅପ୍ରତ୍ୟାଶିତ ମଧୁର ବ୍ୟବହାରରେ ମୁଗ୍ଧ ହୋଇ ପୂର୍ବ ଭାବର ବିସ୍ମରଣ ସଙ୍ଗେ ହିତାହିତ ବିଚାରଶୂନ୍ୟା ହୋଇ ପଡ଼ିଲେ । ପ୍ରିୟଭାଷୀ ସ୍ୱାମୀ ଦିନେ ପ୍ରିୟତମାଙ୍କ ନିକଟରେ ପ୍ରସ୍ତାବ କଲେ- ‘ଦେଖ ଲିଲି ! ଆସିଲାଦିନୁଁ ତୁମ୍ଭଙ୍କୁ ସମୁଦ୍ର ଦେଖାଇବି ଦେଖାଇବି ବୋଲି ଆଶା ଦେଇ ଆଜିଯାଏ ପାରି ନାହିଁ । ବେବି ( କନିଷ୍ଠ ପୁତ୍ରର ଡାକ ନାମ) ଅତି ସାନ ଥିବାରୁ ବୁଲି ଯିବାର ସୁବିଧା ହୋଇ ନ ଥିଲା । ଆଉ ମଧ୍ୟ ଏ ପୁଲିସ କାର୍ଯ୍ୟରେ ପଶିଲେ ଆଦୌ ଅବସର ମିଳେ ନାହିଁ-। ଆସନ୍ତା ଗୁଡ଼ ଫ୍ରାଇଡ଼େ ଛୁଟିରେ ତୁମ୍ଭଙ୍କୁ ନେଇଯିବାର ସ୍ଥିର କରିଅଛି । ଚିଲାପାଟଣାଠାରେ ସମୁଦ୍ର-କୂଳରେ ଗୋଟିଏ ସୁନ୍ଦର କୋଠି ଅଛି । ସେହିଠାରେ ଦୁଇ ଦିନ ରହି ଏ ବର୍ଷ ଉତ୍ସବଟା ଭଲକରି କଟାଇବା ।’ ଲିଲି ମହୋଲ୍ଲାସରେ ‘ତଥାସ୍ତୁ’ କହିବାରୁ ଏହି ପ୍ରସ୍ତାବ ନିର୍ଦ୍ଧାରିତ ହେଲା ।

 

ସଂସାରଟା କି ଛଳନାମୟ ! ଯୁଗେ ଯୁଗେ କେତେ ପ୍ରତାରଣା ଓ ପ୍ରଲୋଭନର ଅଭିନୟ ଏ ଭୂପୃଷ୍ଠରେ ହୋଇ ଯାଉଅଛି । ପ୍ରଜାରଞ୍ଜନବ୍ରତୀ ରାମଚନ୍ଦ୍ର ସୀତାଦେବୀଙ୍କୁ ଭୁଲାଇ ପୂର୍ବବାଞ୍ଛିତ ଜାହ୍ନବୀତୀରେ ଭ୍ରମଣ କରିବାପାଇଁ ରଥରେ ପଠାଇ ଦେଇଥିଲେ । ଏହା କଣ ସେହି ଜାତୀୟ ପ୍ରଲୋଭନ ? ନା ତତୋଽଧିକ ! ଏହା କେବଳ ଯେ ଏହିଠାରେ ଦେଖା ଗଲା, ତାହା ନୁହେଁ; ଲୋକ ମଧ୍ୟରେ ଏହା କେବେ ପ୍ରବଞ୍ଚନା-ରୂପେ - କେତେବେଳେ ଜିଗୀଷାବୃତ୍ତିରୂପେ - କେବେ ବା କପଟତା ବା ସ୍ୱାର୍ଥସିଦ୍ଧି ରୂପରେ ନାନା ଭାବରେ ସଞ୍ଚରଣ କରୁଅଛି । କେବଳ ମନୁଷ୍ୟ ମଧ୍ୟରେ କାହିଁକି, ପଶୁ ପକ୍ଷୀ କୀଟ ପତଙ୍ଗ ସମାଜରେ ମଧ୍ୟ ଅନୁସନ୍ଧାନ କଲେ ଦେଖିବ, ଏହି ବୃତ୍ତି ବରାବର ରହିଅଛି । ଉଦ୍ଭିଦ ମଧ୍ୟରେ ସୁଦ୍ଧା ଏହା ଦେଖାଯିବ । ଏକ ସ୍ୱାର୍ଥସିଦ୍ଧିଲାଗି ଅନ୍ୟର ସର୍ବନାଶ କରୁଅଛି ! ‘ଏକସ୍ୟ କ୍ଷଣିକା ପ୍ରୀତିଃ ଅନ୍ୟଃ ପ୍ରାଣୈ ର୍ବିମୁଚ୍ୟତେ ।’ ସଂସାରରେ ଏହାର ଭୂରି ଭୂରି ଦୃଷ୍ଟାନ୍ତ ଦେଖି ମହାଭାରତରେ କବି ଠାଏ କହିଅଛନ୍ତି - ‘ଜୀବୋଜୀବସ୍ୟ ଜୀବନଂ’ ।

 

ଆଲୋଚନା କଲେ ଦେଖାଯାଏ, ସଂସାରର ପ୍ରତ୍ୟେକ ବିଷୟର ଆଦି ଅନ୍ତ ଏକା ପରି ନୁହେଁ । ତେଣୁ ‘ଚିରଦିନ ସମାନ ନ ଯା’ଏ କଥାଟା ଲୋକମୁଖରୁ ସବୁ କାଳେ ବାହାରି ଥାଏ । ଯାହାକୁ ଦେଖିଛୁ କୋମଳ - ତାହାର ପରିଣାମ କଠୋର । ମଧୁରର ପରିଣାମ ତିକ୍ତ । ଅସମ୍ଭାବିତ ମଧୁର ଭାବ ଅବଶ୍ୟମ୍ଭାବୀ ବିଧୁର ଭାବର ସୂଚନା କରେ । ଜନମୋହନର ଏ ଅତିଭକ୍ତି ଚୋରର ଲକ୍ଷଣ ନୁହେଁ ତ ?

 

ଦ୍ୱାଦଶ ପରିଚ୍ଛେଦ

ସମୁଦ୍ର କୂଳ–ପ୍ରତିହିଂସା

 

ବର୍ତ୍ତମାନ ନିଶା ଅବସାନ ପ୍ରାୟ । ଦେଖୁ ଦେଖୁ ସାଗରପୃଷ୍ଠ ଉପରେ ପୂର୍ବାକାଶ ଇଷତ୍‌ ରକ୍ତରଞ୍ଜିତ ହୋଇଗଲା ଏବଂ ପଛେ ପଛେ ମହାମାଣିକ୍ୟର ପ୍ରବାହ ଯେହ୍ନେ ଉର୍ଦ୍ଧ୍ୱମୁଖରେ ଉଛୁଳି ପଡ଼ିଲା । ଜନମୋହନ ବରଣ୍ଡାରେ ବସି ପ୍ରିୟତମାକୁ ଏହି ଅପୂର୍ବ ଦୃଶ୍ୟ ଦେଖାଇବାକୁ ଲାଗିଲେ । ଲୀଳାବତୀ ଦେଖିଲେ, ଏକ ବିଶାଳ ବର୍ତ୍ତୁଳାକାଳର ଅରୁଣଜ୍ୟୋତି ସମୁଦ୍ରର ସ୍ତବ୍ଧତର ଅଗାଧ ସଲିଳଗର୍ଭ ଭେଦ କରି ଅର୍ଦ୍ଧୋଦିତ ହେଲା ଏବଂ ତାହାର ଅରୁଣିମାରେ ସାଗର ରକ୍ତମୟ ହୋଇଗଲା ପରି ଜଣାଗଲା । କ୍ଷଣକ ପରେ ସେହି ବିଶାଳ ରକ୍ତଗୋଲକ ଜଳ ଆସ୍ତରଣରୁ କିଞ୍ଚିତ୍‌ ପୃଥକ ହୋଇ ଊର୍ଦ୍ଧ୍ୱ ଆକାଶରେ ଶୋଭା ବିସ୍ତାର କଲା । ଧୀରେ ଧୀରେ ସ୍ଥିର ସମୁଦ୍ର ବକ୍ଷରେ ଲଘୁଲହରୀ ଲୀଳା ସ୍ତରେ ସ୍ତରେ ଦେଖା ଦେଲା । ପ୍ରତି ତରଙ୍ଗ ସେହି ରଙ୍ଗରେ ଛୁରିତ ହୋଇ କୂଳଯାଏ ଢଳ ଢଳ ଦିଶି ଆସିବାକୁ ଲାଗିଲା । ଜ୍ୟେଷ୍ଠ ଶିଶୁଟି ହଠାତ୍‌ ତର୍ଜନୀ ନିର୍ଦ୍ଦେଶ କରି ପଚାରିଲା- ଏ ଗୋଟାଏ ଶଗଡ଼ ଚକ ପରି କଣ ଲାଲ ଦିଶୁଛି ? ବାସ୍ତବରେ ସେ କେହି କେବେ ଏପରି ସୂର୍ଯ୍ୟୋଦୟ ଦେଖି ନାହାନ୍ତି । ସମସ୍ତଙ୍କର ଦୃଷ୍ଟି ସେହି ରକ୍ତଗୋଲକ ଉପରେ, ତେଣୁ ଜନମୋହନଙ୍କର ଦୁଇ ରକ୍ତଚକ୍ଷୁଗୋଲକ ପ୍ରତି ତେତେବେଳେ କାହାରି ଦୃଷ୍ଟି ପଡ଼ିଲା ନାହିଁ । ବାବୁ ମଧ୍ୟ ଦୃଶ୍ୟର ଆଲୋଚନା ଅବସରରେ ବଡ଼ ଚିନ୍ତିତ ଦେଖାପଡ଼ୁଥିଲେ । ଦେଖୁ ଦେଖୁ ହଠାତ୍‌ ଭାବାବେଗରେ କହିଉଠିଲେ, ଲିଲି, ଚାଲ ପିଲାଙ୍କୁ ଘେନି ଯିବା, ଏହି ଡକ୍‌ (ପୋତାଶ୍ରୟ ସେତୁ) ଉପରେ ଠିଆ ହୋଇ ଦେଖିବା । ଆଜି ପରି ଗୋଟିଏ ସକାଳ କେବେ ହେଲେ ଦେଖିଛ କି ? ଆଜି ପୁଣି ପହିଲା, ପିଲାମାନଙ୍କର ଗୋଟିଏ ପ୍ରଧାନ ପର୍ବଦିନ । ଉତ୍ସବ ପାଳନ କରିବାକୁ ହେବ । ଲିଲି କିଞ୍ଚିତ୍‌ ବିସ୍ମୟରେ ପଚାରିଲେ - ‘‘କି ଉତ୍ସବ ?’’

 

ଜନ - ତୁମ୍ଭେ ଜାଣ ନାହିଁ । ଆଜି ପରା ଏପ୍ରିଲ ଫୁଲ ଦିନ - ଆଜି ବନ୍ଧୁମାନେ ଅବାଧରେ କେତେ ମଧୁର ଖେଳ ଖେଳନ୍ତି ।

 

ଏହା କହୁଁ କହୁଁ ସେ ଆସନରୁ ଉଠି ଜ୍ୟେଷ୍ଠପୁତ୍ରର ହାତ ଧରି ସେଆଡ଼କୁ ଅଗ୍ରସର ହେଲେ । କନିଷ୍ଠଟି ଜନନୀର ଅଙ୍କାସନରେ ଥାଇ ସେଠାକୁ ପଛେ ପଛେ ନୀତ ହେଲା । ଡକର ବାଡ଼କୁ ଆଉଜି ଲିଲି କେତେବେଳେ ସୂର୍ଯ୍ୟୋଦୟର ଦୃଶ୍ୟ - କେବେ ଆକାଶର ଦୃଶ୍ୟ - କେବେ ବା ଆକାଶ ସାଗର ମିଳନର ଦୃଶ୍ୟ - କେବେ ସମୁଦ୍ରଲହରୀ - କେବେ ବା ଭାସମାନ କ୍ଷୁଦ୍ରପୋତର ଦୃଶ୍ୟ ଏବଂ ବେଳେ ବେଳେ ତରଙ୍ଗୋତ୍ଥିତ ଜଳଜନ୍ତୁର ଦୃଶ୍ୟ ଦେଖିବାକୁ ଲାଗିଲେ । ମାତ୍ର ଜିଘାଂସୁ ଜନମୋହନ କେବଳ ପତ୍ନୀର ଇଙ୍ଗିତ, ମନର ଗତି କଳନା କରି ଭିନ୍ନ ଦୃଶ୍ୟ ଦେଖୁଥିଲେ । ଶେଷକାଳରେ ସେହି ସବାଳବତ୍ସା ଜନନୀ ଅଧୋବଦନରେ ସମୁଦ୍ରପୃଷ୍ଠରେ ସ୍ଥିର ଦୃଷ୍ଟି ନିକ୍ଷେପ କରି ଦେଖିଲେ ଯେ ତରଙ୍ଗ ଉପରେ ତରଙ୍ଗମାନ ଆସି ସେହିଠାରେ ଚୂର୍ଣ୍ଣିତମସ୍ତକ ହୋଇ ଶୁଭ୍ରଶୀକର ମୁକ୍ତାବଳୀ ପ୍ରକ୍ଷେପ କରୁଅଛି । ଦେଖୁ ଦେଖୁ ଅତି ତୁଙ୍ଗ ତରଙ୍ଗମାନ ସେଠାରେ ବିଲୟ ପ୍ରାପ୍ତ ହେଉଅଛି । ସେହି ଅକୂଳ ତରଙ୍ଗାୟିତ ବକ୍ଷରେ ଭାସମାନ କ୍ଷୁଦ୍ରତରୀମାନ କ୍ଷଣେ ନଗ୍ନ - କ୍ଷଣେ ମଗ୍ନ - କ୍ଷଣକେ ପୁଣି ଭଗ୍ନ ଅବସ୍ଥା ଭଳି ପୋତଚାଳକଙ୍କୁ ଆକୁଳିତ କରୁଅଛି । ଲିଲି ଭାଳିବାକୁ ଲାଗିଲେ, ଭବସିନ୍ଧୁ ଏହିପରି ଭୟଙ୍କର ସିନା ! ଦୃଶ୍ୟ ନିରୀକ୍ଷଣ କରୁ କରୁ ତାହାଙ୍କର ବାହ୍ୟଜ୍ଞାନ କ୍ରମଶଃ ଅପସୃତ ହେବାକୁ ବସିଲା । ନିଷ୍ଠୁର ନିର୍ମମ ଜନମୋହନ ବେଳକାଳ ଉଣ୍ଡି ଆପଣାର ଚିର ଅଭୀପ୍ସିତ କର୍ମ ସମ୍ପାଦନରେ ଅଗ୍ରସର ହେଲେ । ଏଥି ମଧ୍ୟରେ ଥରେ ଦିଥର ଉଦ୍ୟତ ହୋଇ ସୁଦ୍ଧା ହସ୍ତ ସଙ୍କୁଚିତ କଲେଣି । କିନ୍ତୁ ସେଥି ପ୍ରତି କାହାରି ଦୃଷ୍ଟି ନାହିଁ । ଶେଷରେ ସିଦ୍ଧାନ୍ତ ହେଲା, ଆଉ ବିଳମ୍ୱ କାହିଁକି ? ଏହାର ଅଚିର ମରଣରେ ତ ନାରୀରତ୍ନଲାଭ ହେବ ! କ୍ରୀଡ଼ା ଛଳନାରେ ଯାହା କରାଯାଏ, ତାହା ତ ନୃଶଂସ କର୍ମ ନୁହେଁ ! ହଠାତ୍‌ ସେହି ନିସ୍ତବ୍ଧ ଭାବ ମଧ୍ୟରେ ଜିଘାଂସୁ ସ୍ୱାମୀ କହି ପକାଇଲଲେ-ଦେଖ ଲିଲି ! ମୁଁ ତୁମ୍ଭ ସଙ୍ଗରେ ଏପ୍ରିଲ ଫୁଲ ଖେଳିଲି-! କହି ତାହାର ନିତମ୍ୱଦେଶରେ ହାତ ଦେଇ ସେତୁପୃଷ୍ଠରୁ ପାଦ ଦୁଇଟିକୁ ଉଠାଇ ଦିଅନ୍ତେ ଅଧୋମୁଖରେ ସବତ୍ସା ଜନନୀ ସମୁଦ୍ରରେ ପତିତ ହେଲେ ! ପଡ଼ିବା ମାତ୍ରକେ ଅନ୍ୟମନସ୍କା ଜନନୀର ବକ୍ଷଦେଶରୁ ଶିଶୁଟି ସମୁଦ୍ରଗର୍ଭସାତ୍‌ ହେଲା । ଲୀଳାବତୀ ଉଦ୍ଧାର ଲାଗି ବ୍ୟାକୁଳ ଭାବରେ ହସ୍ତ ଉତ୍ତୋଳନ କରି ମସ୍ତକ ଦେଖାନ୍ତେ ନିର୍ମମ ସ୍ୱାମୀ ତାହାର ଜୀବନରକ୍ଷାରେ ପ୍ରତିକୂଳ ହୋଇ ପାର୍ଶ୍ୱସ୍ଥିତ ରୋରୁଦ୍ୟମାନ ଜ୍ୟେଷ୍ଠ ପୁତ୍ରଟିକୁ ମଧ୍ୟ ( ତାହାର ପୁନଃ ପୁନଃ କାତର ପ୍ରାର୍ଥନା ନ ମାନି) ଉପରକୁ ନିକ୍ଷେପ କଲେ । ତତ୍‌କ୍ଷଣାତ୍‌ ପୁତ୍ରବତ୍ସଳା ମାତା ତାହାକୁ ଆଲିଙ୍ଗନ କରିପକାଇଲେ ସତ୍ୟ, କିନ୍ତୁ ଅଧିକକ୍ଷଣ ନୁହେଁ । ଜନନୀଙ୍କୁ କ୍ରମଶଃ ମଗ୍ନ ହେବାର ଦେଖି ପୁତ୍ରଟି କୋଳରୁ ବାହାରିଯାଇ କନିଷ୍ଠର ପଥ ଅନୁସରଣ କଲା ଏବଂ କ୍ଷଣକ ପରେ ଅଦୂରରେ ଦେଖାଗଲା, ସମୁଦ୍ର ତରଙ୍ଗ ତାକୁ ପକାଇ ଉଠାଇ ଅବଶ ଅବସ୍ଥାରେ ବହନ କରୁଅଛି । ମାତାର କାତର ଆହ୍ୱାନରେ ସେହି ଦିଗରୁ କେତୋଟି ତରୀ ଧାବିତ ହେଲା ‘ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ ।’ ତରୀ ନକଟକୁ ଆସନ୍ତେ ଆପଣାର ଅଭିସନ୍ଧି ବିଫଳ ହୋଇ ଯିବାର ଦେଖି ଚତୁର ଜନମୋହନ ଉପରୁ ହସ୍ତସଙ୍କେତ କରି ବ୍ୟାକୁଳଭାବରେ କହିବାକୁ ଲାଗିଲେ- ଶୀଘ୍ର ଉଦ୍ଧାର କର, ମୋହର ସ୍ତ୍ରୀଙ୍କର ପ୍ରାଣସଙ୍କଟ ଉପସ୍ଥିତ । ମୂଢ଼ ମାନବ ! କାହାକୁ ପ୍ରବଞ୍ଚନା ! ତୁମ୍ଭେ କଣ ଜାଣ ନାହିଁ ଯେ, ତୁମ୍ଭର ଏ ସମସ୍ତ କାର୍ଯ୍ୟ ଜଣେ ଆମୂଳ ଦେଖି ଆସୁଅଛନ୍ତି ? ମନେ ମନେ ତୁମ୍ଭେ ଯେଉଁ ସୁଖବୃକ୍ଷର କଳ୍ପନା କରୁଅଛ, ତାହାର ବୀଜ କଣ ତୁମ୍ଭର ଇଛାରେ ଅଙ୍କୁରିତ ହୋଇ ପାରେ ? ଜଣେ ସୃଷ୍ଟ ଜୀବ ହୋଇ ଗୋଟିଏ ସୃଷ୍ଟ ପ୍ରାଣୀର ବଧ ସାଧନ କରିବାରେ ତୁମ୍ଭର କି ଅଧିକାର ଅଛି ? ତୁମ୍ଭେ କଣ ଜାଣି ନାହଁ ଯେ, ପ୍ରକୃତି କ୍ଷଣେ ପ୍ରତିକୂଳ ରୂପ ଧାରଣ କଲେ ତୁମ୍ଭ ପରି ଶତ ଶତ ଲୋକ ନିମେଷକ ମଧ୍ୟରେ ବିଳୟ ପାଇଯିବେ ? ପିଲାଦିନେ ତୁମ୍ଭେ ଅବଶ୍ୟ ପୁରାଣରେ ଶୁଣିଥିବ, ବାଳକ ପ୍ରହ୍ଲାଦକୁ ସମ୍ପଦମଦଗର୍ବିତ ତାହାର ପିତା ଶତ ଘାତୁକଦ୍ୱାରା ଅଗ୍ନି, ଅସ୍ତ୍ର ଏବଂ ସମୁଦ୍ରରେ ନିକ୍ଷେପ କରି ଏବଂ ମତ୍ତଗଜପଦରେ ବିଦଳିତ କରି ସୁଦ୍ଧା ସେହି ଜଣକ ଯୋଗୁଁ କିଛିହିଁ କରି ପାରି ନ ଥିଲେ ? ତୁମ୍ଭେ ଯେଡ଼େ ସହାୟସମ୍ପନ୍ନବଳଶାଳୀ ହୁଅ, ଦୈବରକ୍ଷିତର କଣ କରି ପାରିବ ? ତୁମ୍ଭେ ଶତ ଚେଷ୍ଟା କଲେ ସୁଦ୍ଧା ଦୈବାନୁଗୃହୀତା ଲୀଳାବତୀ କଦାପି ଏ ଜଗତରୁ ଅପସୃତ ହେବ ନାହିଁ । କିନ୍ତୁ ପାଷଣ୍ଡ ! ଯେଉଁ ଦୁଇଟି ରତ୍ନ ହରାଇଲ, ସେ ବେନି ତ ତୁମ୍ଭର ଆତ୍ମା । କେବଳ ଲିଲିର ଗର୍ଭରେ ଆଶ୍ରୟ ନେଇଥିଲେ । ଲୀଳାବତୀଠାରୁ ତୁମ୍ଭର ପ୍ରେମ ଅନ୍ତର୍ହିତ ହେବା ସଙ୍ଗେ ସଙ୍ଗେ ସେ ଦୁଇଟି ପ୍ରେମବୀଜ ଲୀଳାମୟଙ୍କ ଇଛା ଅନୁସାରେ କେଣେ ଉଭେଇ ଗଲେ ! ବର୍ତ୍ତମାନ ତୁମ୍ଭେ ଆପଣାର ପରିଣାମ ଭାବ ! ଯେ ବା ଚିନ୍ତଇ ପର ମନ୍ଦ, ଅବଶ୍ୟ ବୁଝିବେ ଗୋବିନ୍ଦ

 

ତ୍ରୟୋଦଶ ପରିଚ୍ଛେଦ

ଶେଷ ଫଳ

 

ଏ ଧରାଧାମରେ ଦୟା ମାୟା - ଦାନ ଦାକ୍ଷିଣ୍ୟ ଏବଂ ହିଂସା ଜିଙ୍ଘାସାବୃତ୍ତିର ଆଶ୍ରୟ ଘେନି କିଏ କେତେ ଶୁଭାଶୁଭ କର୍ମ କରି ଚାଲିଯାଉଅଛନ୍ତି । କିନ୍ତୁ ସେ ସମସ୍ତ କର୍ମର ଫଳାଫଳ ବିଚାର ଈଶ୍ୱରଙ୍କ ଦରବାରରେ ଅଭ୍ରାନ୍ତଭାବରେ ହୋଇଥାଏ ।

 

ସମାପ୍ତ